ନିତ୍ୟାନନ୍ଦଙ୍କ ପ୍ରତି ଅବିଚାରକୁ ବଖାଣିଲେ ଶିଷ୍ୟା ବିଜୟପ୍ରିୟା
ମିଳିତ ଜାତିସଂଘ ବୈଠକରେ ପଳାତକ ନିତ୍ୟାନନ୍ଦଙ୍କ ଶିଷ୍ୟା….
ନୂଆଦିଲ୍ଲୀ: ଭାରତର ସାଧ୍ୱୀଙ୍କ ଭଳି ବେଶଭୂଷା, ମୁଣ୍ଡରେ ଜଟା, ଲଲାଟରେ ଟୀକା, ଗଳାରେ ରୁଦ୍ରାକ୍ଷ ମାଳା, ଗେରୁଆ ବସ୍ତ୍ର ପରିହିତା ଜଣେ ମହିଳା ମିଳିତ ଜାତିସଂଘର ଜେନେଭା ଅଫିସରେ ଇଂରାଜୀରେ ଉଦ୍ବୋଧନ ଦେଉଥିବାର ଭିଡ଼ିଓରୁ ପ୍ରଥମେ କିଛି ବୁଝା ପଡ଼ିଲାନି । ସଂପୃକ୍ତ ମହିଳା କେଉଁ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି; ତାହା ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ ଜନ୍ମିଲା । ପରେ ସଂପୃକ୍ତ ମହିଳାଙ୍କର ଜେନେଭା ଭାଷଣ ଫଟୋଟିଏ ନିତ୍ୟାନନ୍ଦଙ୍କ ଟ୍ୱିଟର ଆକାଉଂଟରେ ଛଡ଼ା ଯାଇଥିବାର ଦେଖି ଅନେକଙ୍କ ମନରୁ ଆଶଙ୍କା ଦୂର ହୋଇଗଲା ।
ଭାରତରେ ଦୁଷ୍କର୍ମ ଅଭିଯୋଗରେ ଫସିବା ପରେ ବିଦେଶରେ ଆତ୍ମଗୋପନ କରିଥିବା ପଳାତକ ନିତ୍ୟାନନ୍ଦ ଏବେ ସାରା ଦୁନିଆକୁ ଭେଳିକି ଚଲାଇଛି । ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ କୈଲାସା’ ନାମକ ଏକ କାଳ୍ପନିକ ଦେଶ ଗଠନ କରି ସେଠାରେ ବସବାସ କରୁଥିବା ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ଶାସନ କରୁଥିବା କହୁଛନ୍ତି । ଜେନେଭା ଅଧିବେଶନରେ ଯୋଗଦାନ କରିଥିବା ମହିଳା ଜଣକ ନିଜକୁ ବିଜୟପ୍ରିୟା ନିତ୍ୟାନନ୍ଦ ପରିଚୟ ଦେଇ ପଳାତକ ନିତ୍ୟାନନ୍ଦଙ୍କ କାଳ୍ପନିକ ଦେଶ କୈଲାସାର ସ୍ଥାୟୀ ରାଷ୍ଟ୍ରଦୂତ ଭାବେ ଦାବି କରିଛନ୍ତି ।
ଆମେରିକାର ୱାଶିଂଟନ ଡିସିରେ ଅବସ୍ଥାନ କରୁଥିବା ବିଜୟପ୍ରିୟାଙ୍କୁ ଖୋଦ୍ ନିତ୍ୟାନନ୍ଦ ରାଷ୍ଟ୍ରଦୂତ ପଦରେ ନିଯୁକ୍ତ କରିଛନ୍ତି । ଜେନେଭାରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ସମ୍ମିନଳୀରେ ଯୋଗଦାନ କରି ବିଜୟପ୍ରିୟା ପଳାତକ ନିତ୍ୟାନନ୍ଦଙ୍କ ପ୍ରତି ଭାରତ ସରକାରଙ୍କ ବିବାଦୀୟ ପଦକ୍ଷେପ ବିଷୟ ଉଠାଇ ମିଳିତ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଛନ୍ତି । ଉକ୍ତ ବୈଠକରେ ବିଜୟପ୍ରିୟାଙ୍କ ସମେତ ଆହୁରି ୫ ଜଣ ମହିଳା ସାଧୁ ଯୋଗ ଦେଇଥିଲେ ।