କୁହୁଳୁଛି ଇଣ୍ଡିଗୋ ବିରୋଧରେ ଅସନ୍ତୋଷ, ୬୫୦ ଉଡାଣ ବାତିଲ

ଇଣ୍ଡିଗୋ ଏୟାର ଲାଇନ୍ସ ପରିଚାଳନାଗତ …

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନ୍ସ ପରିଚାଳନାଗତ ସଙ୍କଟକୁ ସମାଧାନ କରିବା ପାଇଁ ପ୍ରୟାସ କରାଯାଉଛି, କିନ୍ତୁ ସଙ୍କଟ ଲଗାତାର ଷଷ୍ଠ ଦିନରେ ଜାରି ରହିଛି। ରବିବାର ଦେଶର ପ୍ରମୁଖ ବିମାନ ବନ୍ଦରଗୁଡ଼ିକରେ ୬୫୦ଟି ଉଡ଼ାଣ ବାତିଲ କରାଯାଇଛି। ଇଣ୍ଡିଗୋରେ ଚାଲିଥିବା ସଙ୍କଟ ଯୋଗୁଁ, ଗତ ଛଅ ଦିନ ମଧ୍ୟରେ ପ୍ରାୟ ୩ ହଜାର ଉଡ଼ାଣ ବାତିଲ କରାଗଲାଣି। ଯାହା ଦେଶର ବିମାନ ଚଳାଚଳକୁ ଏକପ୍ରକାର ମାନ୍ଦା କରିଛି। ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସରକାର ଇଣ୍ଡିଗୋ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିଷ୍ପତି ନେଇଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଊଏଉଇ) ଇଣ୍ଡିଗୋର ସିଇଓ ପିଟର ଏଲବର୍ସ, ସିଓଓ ଏବଂ ଆକାଉଂଟେବଲ୍‌ ମ୍ୟାନେଜର ପୋରକେରାସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ତା’ ସହିତ ପରିଚାଳନାଗତ ସଙ୍କଟ ଉପରେ ୨୪ ଘଂଟା ମଧ୍ୟରେ ଜବାବ ମାଗିଛି। ଡିଜିସିଏ ନୋଟିସରେ ଉଲ୍ଲେଖ କରିଛି ଯେ କାର୍ଯ୍ୟକ୍ଷମ ଯୋଜନା ଏବଂ ସମ୍ବଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ବିଫଳତା ରହିଛି। ନୋଟିସରେ ଉଲ୍ଲେଖ କରାଯାଇଛି, ଇଣ୍ଡିଗୋରେ ଚାଲିଥିବା ସଙ୍କଟର ମୁଖ୍ୟ କାରଣ ହେଉଛି ନୂତନ ନିୟମାବଳୀ କାର୍ଯ୍ୟକାରୀ ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ। ଏହା ସହ ବିମାନ କମ୍ପାନୀ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପଚାରିଛନ୍ତି ସରକାର। ଇଣ୍ଡିଗୋ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ପିଟର ଏଲବର୍ସଙ୍କ ସହ ଏକ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ଇଣ୍ଡିଗୋର ସିଇଓଙ୍କୁ ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ, ଏୟାରଲାଇନ୍‌ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନୂତନ ନିୟମାବଳୀ ପାଳନ କରୁଛି।

ରବିବାର ୬୫୦ ଇଣ୍ଡିଗୋ ଉଡ଼ାଣ ବାତିଲ ହୋଇଛି। ଇଣ୍ଡିଗୋ ଏହାର ୨୩୦୦ ଦୈନିକ ଉଡ଼ାଣ ମଧ୍ୟରୁ ଏବେ ୧୬୫୦ ଉଡ଼ାଣ କରୁଛି। ପୂର୍ବରୁ ଶୁକ୍ରବାର ଦିନ, ଇଣ୍ଡିଗୋ ପ୍ରାୟ ୧୬୦୦ ଉଡ଼ାଣ ବାତିଲ କରିଥିଲା। ଶନିବାର ବାତିଲ ସଂଖ୍ୟା ପ୍ରାୟ ୮୦୦କୁ ହ୍ରାସ ପାଇଛି।