ନୂଆଦିଲ୍ଲୀ : ଏଥର ଅଯୋଧ୍ୟାରେ ଦୀପାବଳି ଉତ୍ସବ ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଣୁ ଗୁରୁଙ୍କ ଉପସ୍ଥିତିକୁ ଗରମାଗରମ କରିବା ପାଇଁ ଚେଲା ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜକୋଷ ଖୋଲି ଦେଇଛନ୍ତି । ଅଯୋଧ୍ୟାର ୩୬ଟି ଘାଟକୁ ନୂଆବୋହୁ କରିବା ପାଇଁ ୧୭ ଲକ୍ଷ ଦୀପ ଓ ୬୦୦ କିଲୋ ଫୁଲ ବ୍ୟବହାର କରାଯାଇଛି । ଦୀପାବଳି ଅବସରରେ ଶ୍ରୀରାମ ଜନ୍ମଭୂମି ଅପୂର୍ବ ରୂପ ଧାରଣ କରିଛି ।
ଉଭୟ ଦେଶୀ ଓ ବିଦେଶୀ ଫୁଲରେ ଅଯୋଧ୍ୟାକୁ ସଜାଯାଇଛି । ଅଯୋଧ୍ୟାର ଅପୂର୍ବ ଶୋଭାରାଜି ଏଥର ବିଶ୍ୱରେକର୍ଡ ତାଲିକାକୁ ସମୃଦ୍ଧ କରିବାକୁ ଯାଉଛି । ୨୨ ହଜାରରୁ ଅଧିକ ସ୍ୱୟଂସେବକ ଅଯୋଧ୍ୟାକୁ ସଜାଇଛନ୍ତି । ରାମଲାଲାଙ୍କୁ ସଜାଇବା ପାଇଁ ବିଦେଶରୁ ଫୁଲ ଅଣାଯାଇଛି । ଧଳା, ନୀଳ, ବାଇଗଣି, ହଳଦିଆ ପ୍ରଭୃତି ରଙ୍ଗର ଫୁଲ ଓ ସବୁଜ ପତ୍ରର ସମାହାର ସମଗ୍ର ଅଯୋଧ୍ୟାକୁ ତ୍ରେତୟା ଯୁଗକୁ ନେଇଯାଇଛି ।
ରାବଣକୁ ନିଧନ କରି ମାତା ସୀତା, ଅନୁଜ ଲକ୍ଷ୍ମଣ ଓ ପ୍ରଭୁଭକ୍ତ ହନୁମାନଙ୍କୁ ଧରି ଦୀପାବଳି ଦିନ ହିଁ ପ୍ରଭୁ ଶ୍ରୀରାମ ଅଯୋଧ୍ୟାରେ ପ୍ରବେଶ କରିଥିଲେ । ଅଯୋଧ୍ୟାବାସୀ ଘର ଆଗରେ ଦୀପ ଜଳାଇ ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିଥିଲେ । ଆଜି ପ୍ରଭୁ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟାକୁ ସଜାଇଛନ୍ତି ମହାଭକ୍ତ ଯୋଗୀ ଆଦିତ୍ୟନାଥ ।