ଇତିହାସ ରଚିବେ ରୋହିତ ଶର୍ମା!

ଟି-୨୦ ବିଶ୍ୱକପ୍‌ ଧରି ଫେରିବ ଟିମ୍‌ ଇଣ୍ଡିଆ…..

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପରିଚାଳନା କରୁଛନ୍ତି ରୋହିତ ଶର୍ମା । ୨୦୨୧ ମସିହାରେ ଟି-୨୦ ବିଶ୍ୱକପ୍‌ରେ ଭାରତର ଶୋଚନୀୟ ପରାଜୟ ପାଇଁ ବିରାଟ କୋହଲିଙ୍କୁ ଦାୟୀ କରାଗଲା । ବହୁ ସମାଲୋଚନାର ଶିକାର ହୋଇ ସେ ଅଧିନାୟକ ପଦରୁ ବିଦାୟ ନେଲେ । ଟିମ୍‌ ଇଣ୍ଡିଆ ଅଧିନାୟକ ହେବା ପୂର୍ବରୁ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ୍‌ ଚାମ୍ପିଅନ୍‌ କରିଛନ୍ତି । ରୋହିତ ନିଜେ ଟି-୨୦ କ୍ରିକେଟ୍‌ ଫର୍ମାଟ୍‌ରେ ଧୁରନ୍ଧର ବ୍ୟାଟ୍ସମ୍ୟାନ୍‌ ।

ଟି-୨୦ ଆନ୍ତର୍ଜାତିକ ଟୁର୍ଣ୍ଣାମେଂଟ ଭିତରେ ସେ ସର୍ବାଧିକ ରନ୍‌ କରିଛନ୍ତି । ଟି-୨୦ ଫର୍ମାଟ୍‌ରେ ସେ ଚାରିଟି ଶତକ ହାସଲ କରିଛନ୍ତି । ଦଳକୁ ସଠିକ ପରିଚାଳନା ସହିତ ବ୍ୟାଟିଂ ଫର୍ମାଟ୍‌ରେ ମଧ୍ୟ ରୋହିତ ଜଣେ ଅଭିଜ୍ଞ ଖେଳାଳି । କେଉଁ ବୋଲରଙ୍କୁ କେତେବେଳେ ବୋଲିଂ ସୁଯୋଗ ଦେଇ ପ୍ରତିପକ୍ଷକୁ ଅଡୁଆରେ ପକାଇ ଦେଇହେବ, ସେ ଗଣିତ ରୋହିତଙ୍କୁ ଜଣା ଅଛି । ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବା ଦିନଠାରୁ ଭାରତ ଥରେମାତ୍ର ଜିତିଛି ।

୨୦୦୭ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପ୍ରଥମ ଥର ଟି-୨୦ ବିଶ୍ୱକପ୍‌ ଜିତିଛି । ତା’ ପରଠାରୁ ୧୫ ବର୍ଷ ହେଲା ଟିମ୍‌ ଇଣ୍ଡିଆ ପାଇଁ ଟି-୨୦ ବିଶ୍ୱକପ୍‌ ସ୍ୱପ୍ନ ହୋଇ ରହିଯାଇଛି । ଏସିଆ କପ୍‌ ସିରିଜକୁ ବାଦ୍‌ ଦେଲେ ଅନ୍ୟ ସବୁ ସିରିଜରେ ରୋହିତଙ୍କ ଦକ୍ଷ ପରିଚାଳନାର ଛାପ ଦେଖିବାକୁ ମିଳିଛି ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୪୫ଟି ମ୍ୟାଚ୍‌ ଖେଳିଛି । ତା’ ଭିତରୁ ୩୫ଟି ମ୍ୟାଚ୍‌ ଜିତିଛି । ମାତ୍ର ୧୦ଟି ମ୍ୟାଚ୍‌ ଭାରତ ହାରିଛି । ଟି-୨୦ ଫର୍ମାଟ୍‌ରେ ସବୁଠାରୁ ସଫଳତମ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଗଣାଯାଏ । ଧୋନୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୭୨ଟି ମ୍ୟାଚ୍‌ ଖେଳି ୪୧ଟି ଜିତିଛି ।

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୫୦ଟି ମ୍ୟାଚ୍‌ ଖେଳିଛି ଓ ସେଥିଭିତରୁ ୩୨ଟି ମ୍ୟାଚ୍‌ରେ ଜିତାପଟ ହାସଲ କରିଛି । ତେଣୁ ପ୍ରତ୍ୟେକ ଭାରତୀୟଙ୍କ ମନକୁ ଜିତିବା ପାଇଁ ରୋହିତ ଶର୍ମା ଅଷ୍ଟ୍ରେଲିଆରୁ ଟି-୨୦ ବିଶ୍ୱକପ୍‌ ଧରି ଭାରତକୁ ନିଶ୍ଚିତ ଭାବେ ଫେରିବେ । ଏତିକି କାମନା କରି ରହୁଛୁ ।