ଟି-୨୦ ବିଶ୍ୱକପ୍‌: ବିରାଟଙ୍କ ଉପରେ ସମସ୍ତଙ୍କ ନଜର

ଟିମ୍‌ ଇଣ୍ଡିଆ କ୍ରିକେଟ୍‌ପ୍ରେମୀଙ୍କୁ ସେଭଳି କିଛି ଦମ୍‌ ଦେଖାଇପାରିନି…..

ନୂଆଦିଲ୍ଲୀ: ପାକିସ୍ତାନ ଟିମକୁ ଧୂଳି ଚଟାଇବାର ଦମ୍‌ ବିରାଟ କୋହଲିଙ୍କ ପାଖରେ ଅଛି । ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇବା ପାଇଁ ଟିମ୍‌ ଇଣ୍ଡିଆ ପାଖରେ ସବୁ ଦକ୍ଷତା ରହିଛି । ଟିମ୍‌ ଇଣ୍ଡିଆ ଶେଷଥର ପାଇଁ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ୨୦୧୩ ଆଇସିସି କପ୍‌ ଜିତିଥିଲା । ଇତିମଧ୍ୟରେ ୧୩ ବର୍ଷ ବିତିଗଲାଣି, ଟିମ୍‌ ଇଣ୍ଡିଆ କ୍ରିକେଟ୍‌ପ୍ରେମୀଙ୍କୁ ସେଭଳି କିଛି ଦମ୍‌ ଦେଖାଇପାରିନି ।

ଅଷ୍ଟ୍ରେଲିଆ ମାଟିରୁ ଟି-୨୦ ବିଶ୍ୱକପ୍‌ ଧରି ଟିମ୍‌ ଇଣ୍ଡିଆ ଭାରତକୁ ଫେରୁଥିବାର ସ୍ୱପ୍ନ ଭାରତୀୟ କ୍ରିକେଟ୍‌ପ୍ରେମୀ ଦେଖିବା ଆରମ୍ଭ କରିଛନ୍ତି । ଦକ୍ଷ ରଣନୀତିକାର ରାହୁଲ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି ସତ; କିନ୍ତୁ ଟିମ୍‌କୁ ଜିତାଇବାର ଭାର ବିରାଟ କୋହଲିଙ୍କ କାନ୍ଧରେ ।

ଦୁଇବର୍ଷ ହେଲା ବିରାଟ କୋହଲିଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ନଥିଲେ । ଏବେ ତାଙ୍କ ବ୍ୟାଟ୍‌ ପୂର୍ବ ଚମକ ଫେରିପାଇଛି । ପ୍ରତିଟି ବଲରୁ ଲମ୍ବା ସଟ୍‌ ମାରିବା ଆରମ୍ଭ କରିଛନ୍ତି ୩୩ ବର୍ଷୀୟ ବିରାଟ । ଦଳକୁ ଜିତାଇବାର ସବୁ ଲକ୍ଷଣ ତାଙ୍କ ନିକଟରେ ଦେଖିବାକୁ ମିଳୁଛି ।

ସବୁଠାରୁ ବଡ଼କଥା ହେଲା, ଏଥର ତାଙ୍କ ମୁଣ୍ଡରେ ଟିମ୍‌ ଇଣ୍ଡିଆ ପରିଚାଳନା ଦାୟିତ୍ୱ ନାହିଁ । ଦଳଗତ ଚାପରୁ ମୁକ୍ତ ରହି ସେ ଭଲ ରନ୍‌ କରିପାରିବେ । ତା’ ସହିତ ଟିମ୍‌ ଇଣ୍ଡିଆ ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇ ପାରିବେ ।ଚଳିତ ଟି-୨୦ ବିଶ୍ୱକପ୍‌ ବିରାଟଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ । ବୟସ ବୃଦ୍ଧି ଓ କାମଚାପ ଭିତରେ ରହି କ୍ରିକେଟ୍‌ର ତିନୋଟି ଫର୍ମାଟ୍‌ରେ ଖେଳିବା ସହଜ ନୁହେଁ । ୨୦୨୪ ବିଶ୍ୱକପ୍‌ ପର୍ଯ୍ୟନ୍ତ ବିରାଟ ମଇଦାନରେ ରହିବାର ପୂର୍ବାନୁମାନ ଅସମ୍ଭବ ପ୍ରାୟ ।

ଟି-୨୦ ଫର୍ମାଟ୍‌ରେ ବିରାଟଙ୍କ ରେକର୍ଡ ଭଲ । ବିରାଟ ୧୦୯ଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୩୭୧୨ ରନ୍‌ ସଂଗ୍ରହ କରିଛନ୍ତି । ସେ ୩୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି । ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ବିରାଟ ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିଛନ୍ତି । ବିଗତ ତିନିବର୍ଷ ହେଲା ତାଙ୍କ ବ୍ୟାଟ୍‌ରୁ ଶତକ ବାହାରି ନଥିଲା ।