‘ଆବେ ମୋତେ ଗଧ ନା ମାଙ୍କଡ଼ ଭାବିଛ’

ଆମ ପ୍ରତି ଯୋଗୀଙ୍କ ମନରେ ଟିକେ ଦୟା ନାହିଁ…

ଲକ୍ଷେ୍ନø: ୟୁପି ପୁଲିସ ଉପରେ ଗର୍ଜିଛନ୍ତି ସମାଜବାଦୀ ପାର୍ଟି ବିଧାୟକ ଇର୍ଫାନ ସୋଲାଙ୍କି । ମହାରାଜଗଞ୍ଜ ଜେଲରୁ କାନପୁର କୋର୍ଟରେ ହାଜର ପାଇଁ ଆସିଥିବା ସପା ବିଧାୟକ ସୋଲାଙ୍କିଙ୍କୁ ଠେଲାପେଲା କରି ଜେଲଗାଡ଼ି ଭିତରକୁ ନିଆଯିବାରୁ ସେ ଭଡ଼କି ଯାଇଥିଲେ । କ୍ରୋଧରେ ଲାଲ ପଡ଼ି କହିଥିଲେ, ଆବେ ମୋତେ ଗଧ ନା ମାଙ୍କଡ଼ ଭାବିଛ । ଯେତେବେଳେ କୋର୍ଟକୁ ଆଣୁଛ, ଠେଲାପେଲା କରି ଆଣୁଛ । ପଶୁ ପରି ଧକ୍କା ମାରି ନେବାଆଣିବା କରୁଛ । କ’ଣ ଚାହୁଛ ତମେମାନେ । ମଣିଷ ପରି ବ୍ୟବହାର ଦେଖାଇବାକୁ କଷ୍ଟ ହେଉଛି ନା କ’ଣ? ତମକୁ ଶିଖାଇବାକୁ ପଡ଼ିବ ନା କ’ଣ?

ପୂର୍ବାପେକ୍ଷା ଆହୁରି ରାଗି ଯାଇଥିଲେ ସୋଲାଙ୍କି । କହିଥିଲେ, ‘ମୁଁ ବିଧାୟକ । ମୋ ସହିତ ଏଭଳି ବ୍ୟବହାର ପ୍ରଦର୍ଶନ କରୁଛ । ଚାହୁଁଛ ତ ମୋ’ଠାରୁ ଇସ୍ତଫା ପତ୍ର ନିଅ । ଏବେ ସାଙ୍ଗେ ସାଙ୍ଗେ ବିଧାୟକ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ । କିନ୍ତୁ ଏପରି ବ୍ୟବହାର ଦେଖାନ୍ତୁନି ।’

ଅନ୍ୟପକ୍ଷରେ ସୋଲାଙ୍କିଙ୍କ ପତ୍ନୀ ନସିମ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଛନ୍ତି-ଯୋଗୀ ସରକାର ଜଣେ ମହିଳାଙ୍କ ମିଛ ଅଭିଯୋଗକୁ ସତ ମଣି ମୋ ସ୍ୱାମୀଙ୍କୁ ଗିରଫ କରି ଜେଲକୁ ପଠାଇଛନ୍ତି । ଜେଲ ଭିତରେ ମୋତେ ସ୍ୱାମୀଙ୍କ ସହ କଥା ହେବାକୁ ସୁଯୋଗ ଦିଆଯାଉନି । କୋର୍ଟକୁ ଆସିଲେ ଆମ ଦୁହିଁଙ୍କୁ କଥା ହେବାକୁ ସୁଯୋଗ ଦିଆଯାଉନି । ପୁରା ପରିବାର ଚିନ୍ତାରେ ରହୁଛୁ । ଆମ ପ୍ରତି ଯୋଗୀଙ୍କ ମନରେ ଟିକେ ଦୟା ନାହିଁ ।