ରାବଣଙ୍କୁ ରାମଙ୍କ ତୁଳନାରେ ଶ୍ରେଷ୍ଠ କହିଲେ ବିହାରୀ ନେତା

ରାମଙ୍କ ପ୍ରତି ଆଶଙ୍କା ପ୍ରକାଶ କରିବା ଅନୁଚିତ…

ପାଟନା: ରାମାୟଣକୁ ଏକ କାଳ୍ପନିକ କାହାଣୀ କହିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝି । କେବଳ ସେତିକିରେ ମାଞ୍ଝି ଚୁପ ରହିନାହାନ୍ତି । ଶ୍ରୀରାମଙ୍କ ଅପେକ୍ଷା ଲଙ୍କାପତି ରାବଣକୁ କର୍ମବୀର କହିଛନ୍ତି । ବିଧାନସଭାରେ ହନୁମାନ ଚାଳିଶା ପାଠକୁ କେନ୍ଦ୍ର କରି ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା (ହାମ୍‌) ମୁଖିଆ ମାଞ୍ଝି କହିଛନ୍ତି, ଆମେ ରାମାୟଣକୁ କାଳ୍ପନିକ ମନେକରୁଛୁ । ଯଦି ରାମାୟଣ କଥା କହୁଛନ୍ତି ତେବେ ରାମଙ୍କ ତୁଳନାରେ ରାବଣ କର୍ମଠ ଥିଲେ । କାଳ୍ପନିକ କଥାକୁ ଆଧାର କରି ରାମ ଓ ରାବଣ ବିଷୟ ଉଠାଇବା ବଦଳରେ ବିଜେପି ଗରିବଙ୍କ କଥା ଆଲୋଚନା କରୁ ।

ମାଞ୍ଝିଙ୍କର ବୟାନକୁ ନାପସନ୍ଦ କରିଛନ୍ତି ଆରଜେଡି ନେତା ଶକ୍ତି ସିଂ ଯାଦବ । ସେ କହିଛନ୍ତି ଭଗବାନ ରାମ ହେଉଛନ୍ତି ଆସ୍ଥାର ପ୍ରତୀକ । ସମ୍ବିଧାନ ଆମକୁ ଆସ୍ଥା ଶିଖାଇଛି । ରାମଙ୍କ ପ୍ରତି ଆଶଙ୍କା ପ୍ରକାଶ କରିବା ଅନୁଚିତ । ଏହା ପୂର୍ବରୁ ଜାନୁଆରୀ ମାସରେ ରାମଚରିତ ମାନସକୁ ନେଇ ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ବିବାଦୀୟ ବୟାନ ଦେଇଥିଲେ ।

ଏକ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର କହିଥିଲେ, ତୁଳସୀଦାସଙ୍କ ମନୁସ୍ମୃତି, ରାମଚରିତମାନସ ଓ ମାଧବ ସଦାଶିବରାଓ ଗୋଲବଲକରଙ୍କ କେତେକ ପୁସ୍ତକକୁ ଦେଶର ୮୦ ଭାଗ ଲୋକଙ୍କୁ ପଛୁଆ କରି ରଖିବାକୁ ପରାମର୍ଶ ଦେଇଛି । ମନୁସ୍ମୃତିରେ ଜାତି ବିଭାଜନ କରାଯାଇଥିବାରୁ ତାକୁ ରାମଚରିତମାନସ ପରି ପୋଡ଼ି ଦିଆଯିବା ଦରକାର ବୋଲି ଚନ୍ଦ୍ରଶେଖର କହିଥିଲେ ।