ନୂଆଦିଲ୍ଲୀ: ଦିଲ୍ଲୀ କୁତବ ମୀନାର ନିର୍ମାଣକୁ ନେଇ ଚାଲିଥିବା ବିବାଦ ଭିତରେ ଐତିହାସିକ ପରିସରରେ ହେବ ଖନନ କାର୍ଯ୍ୟ । ଏନେଇ ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ । ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ଐତିହାସିକ ରିପୋର୍ଟ ଆଧାରରେ କୁତବ ମୀନାର ପରିସରରେ ଖନନ କରାଯିବ ।
ଏହାପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀଙ୍କ ସହ ଯାଞ୍ଚ କରିବା ପରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୁତବ ମୀନାର ନିର୍ମାଣକୁ ନେଇ ଏଏସ୍ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ । ମୀନାରକୁ କୁତବଲ ଅଲ୍- ଦିନ ଆଇବାକ ନୁହେଁ ବରଂ ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ । ସୂର୍ଯ୍ୟର ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ଦାବି କରିଥିଲେ ।