ମହଙ୍ଗା ପଡ଼ିଲା କ୍ରିକେଟର ସା’ଙ୍କ ସହ ସେଲ୍‌ଫି

ପରେ ମାମଲା ଦଫାରଫା କରିବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ….

ନୂଆଦିଲ୍ଲୀ: କ୍ରିକେଟର ପୃଥ୍ୱୀ ସା’ଙ୍କ ସହ ଗଣ୍ଡଗୋଳ କରି ୟୁଟୁବର ସପନା ଗିଲ ଗିରଫ ହୋଇଛନ୍ତି । ପୁଲିସ ତାଙ୍କର ମେଡିକାଲ ପରୀକ୍ଷା କରିସାରିଛି । ୧୭ ତାରିଖରେ ତାଙ୍କୁ କୋର୍ଟଚାଲାଣ କରାଯିବ । ଅଭିଯୁକ୍ତ ସପନା ପାଲଟା ଅଭିଯୋଗ କରିନାହାନ୍ତି । ପୁଲିସ ସୂଚନା ମୁତାବକ ମୁତାବକ ଓଶିୱାରା ଥାନାରେ ମାମଲା ରୁଜୁ କରାଯାଇଛି । ଅଭିଯୋଗ ପତ୍ରରେ ୭ ଜଣଙ୍କ ବିରୋଧରେ ଉଲ୍ଲେଖ କରାଯାଇଛି ।

ଅଭିଯୁକ୍ତମାନେ ପ୍ରଥମେ ଟିମ୍‌ ଇଣ୍ଡିଆ କ୍ରିକେଟର ପୃଥ୍ୱୀ ସା’ଙ୍କ କାରକୁ ଭଙ୍ଗାରୁଜା କରିଥିଲେ । ପରେ ମାମଲା ଦଫାରଫା କରିବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ । ପୁଲିିସ କେବଳ ସପନାଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କ ଗିରଫଦାରି ପ୍ରକ୍ରିୟା ଆରମ୍ଭ କରାଯିବ । ପୁରୁଣା ମାମଲାକୁ କେନ୍ଦ୍ର କରି ଗୁରୁବାର ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ଫେବୃଆରୀ ୧୫ ତାରିଖରେ ମୁମ୍ବାଇର ସହାରା ଷ୍ଟାର ହୋଟେଲରେ ବିବାଦୀୟ ପରିସ୍ଥିତି ଘଟିଥିଲା ।

କ୍ରିକେଟର ପୃଥ୍ୱୀ ସା’ ତାଙ୍କର ଜଣେ ବନ୍ଧୁଙ୍କ ସହ ଉକ୍ତ ହୋଟେଲକୁ ରାତ୍ରି ଭୋଜନ ପାଇଁ ଯାଇଥିଲେ । କିଛି ଅଜଣା ଲୋକ ହଠାତ୍‌ ପୃଥ୍ୱୀଙ୍କ ନିକଟକୁ ଆସି ସେଲ୍‌ଫି ନେବାକୁ ଅନୁରୋଧ କଲେ । ପୃଥ୍ୱୀ ଦୁଇଜଣ ଲୋକଙ୍କୁ ସେଲ୍‌ଫି ନେବାକୁ ଅନୁମତି ଦେଲେ । କିନ୍ତୁ ପୁରା ଗ୍ରୁପ ଯେତେବେଳେ ସେଲ୍‌ଫି ପାଇଁ ସେମାନଙ୍କୁ ଘେରିଗଲେ; ପୃଥ୍ୱୀ ପ୍ରତିବାଦ କରି କହିଥିଲେ ଯେ ସେ ବନ୍ଧୁଙ୍କ ସହ ଡିନର ପାଇଁ ଆସିଛନ୍ତି ।

ସେମାନଙ୍କୁ ହଇରାଣ କରିବା ଅନୁଚିତ । ମାତ୍ର ପୃଥ୍ୱୀଙ୍କୁ ଘେରିଥିବା ଲୋକମାନେ ଜିଦ କରିବାରୁ ତାଙ୍କ ସାଙ୍ଗ ଆଶିଷ ହୋଟେଲ ପରିଚାଳକଙ୍କୁ ଡାକି ସେଲ୍‌ଫି ଦାବି କରୁଥିବା ଲୋକଙ୍କୁ ବାହାର କରିବାକୁ କହିଥିଲେ । ଅସନ୍ତୁଷ୍ଟ ଲୋକମାନେ ହୋଟେଲ ବାହାରକୁ ପଳାଇଆସି ପୃଥ୍ୱୀ ଓ ତାଙ୍କ ସାଙ୍ଗକୁ ଅପେକ୍ଷା କଲେ ।

ଯଥା ସମୟରେ ପୃଥ୍ୱୀ ଓ ତାଙ୍କ ସାଙ୍ଗ ଆଶିଷ ଆପଣା ଆପଣା କାର ଭିତରେ ବସିଥିଲା ବେଳେ ସେମାନଙ୍କୁ ଅପେକ୍ଷା କରିଥିବା ଲୋକମାନେ ବେସବଲ ରାକେଟରେ ଆଶିଷଙ୍କ କାର କାଚକୁ ଭଙ୍ଗାରୁଜା କରିଥିଲେ । ଆଶିଷ ବିବାଦ ବଢ଼ାଇବାକୁ ଚାହୁଁ ନଥିଲେ । କିନ୍ତୁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ଥାନାରେ ଅଭିଯୋଗ କରିବାକୁ ।