ସରିଲା ତ୍ରିପୁରାରେ ନିର୍ବାଚନ: ୨ରେ ଫଳାଫଳ

ଅନ୍ୟମାନଙ୍କୁ ଭୋଟଦାନ କରିବାକୁ ସୁଯୋଗ ଦେଇନାହାନ୍ତି….

ନୂଆଦିଲ୍ଲୀ: ତ୍ରିପୁରା ବିଧାନସଭା ପାଇଁ ଆଜି ଶେଷ ହୋଇଛି ମତଦାନ ପ୍ରକ୍ରିୟା । କଂଗ୍ରେସ ଓ ବିଜେପି ଟ୍ୱିଟର ଜରିଆରେ ଭୋଟ ମାଗିଥିବାରୁ ନିର୍ବାଚନ କମିଶନ ପକ୍ଷରୁ ନୋଟିସ୍‌ ପଠାଯାଇଛି । ସୂଚନା ମୁତାବକ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଆଜି (ଗୁରୁବାର) ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୮୧% ମତଦାନ ହୋଇଥିଲା । ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ । ୨୦୧୮ ବିଧାନସଭା ନିର୍ବାଚନରେ ୯୦% ମତଦାନ ହୋଇଥିଲା । ଉକ୍ତ ନିର୍ବାଚନରେ ବିଜେପି ଜିତାପଟ ହାସଲ କରି ସରକାର ଗଠନ କରିଥିଲା ।

ଏଥର ରାଜ୍ୟରେ ୩,୩୩୭ଟି ମତଦାନ କେନ୍ଦ୍ରରେ ୨୮.୧୩ ଲକ୍ଷ ଜନତା ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ୨୦୨୩ର ପ୍ରଥମ ନିର୍ବାଚନ ଭାବେ ତ୍ରିପୁରା ବିଧାନସଭାକୁ ଗୁରୁତ୍ୱ ଦିଆଯାଉଛି । ଟ୍ୱିଟର ଜରିଆରେ ଭୋଟ ମାଗିବା ବିଜେପି ଓ କଂଗ୍ରେସ ପାଇଁ ବିବାଦ ସୃଷ୍ଟି କରିଛି । ନିର୍ବାଚନ ଆଚରଣ ସଂହିତା ଉଲ୍ଲଙ୍ଘନ ଅଭିଯୋଗରେ ଦୁଇ ଜାତୀୟ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର ଅଭିଯୋଗ କରିଛନ୍ତି କି ଯୋଉମାନେ ଭୋଟଦାନରୁ ବଂଚିତ ହୋଇଛନ୍ତି; ସେମାନେ ଅନ୍ୟମାନଙ୍କୁ ଭୋଟଦାନ କରିବାକୁ ସୁଯୋଗ ଦେଇନାହାନ୍ତି ।