କୁବେରେଶ୍ୱର ଧାମରେ ଦଳାଚକଟା: ଜଣେ ମୃତ, ତିନି ନିଖୋଜ

ଘରେ ବସିଥିଲେ ମଧ୍ୟ ମୃତ୍ୟୁ କାହାକୁ ଛାଡ଼ିବନି…

ଭୋପାଳ: ଗୁରୁବାର ମଧ୍ୟପ୍ରଦେଶରେ ପ୍ରବଚକ ପଣ୍ଡିତ ପ୍ରଦୀପ ମିଶ୍ରଙ୍କ ସିହୋରସ୍ଥିତ କୁବେରେଶ୍ୱର ଧାମରେ ଅନୁଷ୍ଠିତ ରୁଦ୍ରାକ୍ଷ ମହୋତ୍ସବରେ ଯୋଗଦାନ କରିଥିବା ଶ୍ରଦ୍ଧାଳୁଙ୍କ ଭିତରେ ଦଳାଚକଟା କାରଣରୁ ଜଣେ ମହିଳା ପ୍ରାଣ ହରାଇଛନ୍ତି । ତିନିଜଣ ମହିଳାଙ୍କର କୌଣସି ଠିକଣା ମିଳୁନି । ଜନଗହଳି ଏତେମାତ୍ରାରେ ଥିଲା ଯେ ପାଦରେ ଚଲାବୁଲା କରିବା ମୁସ୍କିଲ ହୋଇଥିଲା ।

ରୁଦ୍ରାକ୍ଷ ପାଇବାରୁ ବଂଚିତ ଲୋକମାନେ ପଣ୍ଡିତ ମିଶ୍ରଙ୍କ ବିରୋଧରେ ଗାଳିମନ୍ଦ କରି ଫେରୁଥିବା ବେଳେ ଦାରୁଣ ସ୍ଥିତି ଉପୁଜିଥିଲା । ମହୋତ୍ସବରେ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁ ଯୋଗଦାନ କରିଥିବାର କୁହାଯାଉଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ସଭାସ୍ଥଳକୁ ଯାଇପାରିଲେନି । ମଣ୍ଡି ଥାନା ଏଏସ୍‌ଆଇ ଧର୍ମ ସିଂହ ବର୍ମାଙ୍କ ସୂଚନା ମୁତାବକ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ମାଲେଗାଁଓ ନିବାସୀ ମଙ୍ଗଳା ବାଇ (୫୦) ହଠାତ୍‌ ଅସୁସ୍ଥ ହୋଇ ପଡ଼ିଯିବାରୁ ଅନ୍ୟ ଲୋକମାନେ ତାଙ୍କୁ ଦଳାଚକଟା କରି ପକାଇଲେ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସେହିପରି ଛତିଶଗଡ଼ର ଭିଲାଇ, ରାଜସ୍ଥାନର ଗଙ୍ଗାପୁର ଓ ମହାରାଷ୍ଟ୍ରର ବୁଲଢ଼ାପାରୁ ଉତ୍ସବକୁ ଆସିଥିବା ତିନିଜଣ ମହିଳାଙ୍କର ଖୋଜଖବର ମିଳୁନି । ପ୍ରବଚନ ମାଧ୍ୟମରେ ପଣ୍ଡିତ ପ୍ରଦୀପ ମିଶ୍ର କହିଛନ୍ତି, ଲୋକମାନେ ମୃତ୍ୟୁକୁ ଡରୁଛନ୍ତି । କେହି କୁହନ୍ତି ସେମାନେ କେଦାରନାଥ ଯିବାକୁ ଚାହାନ୍ତିନି । ସେଠାରେ ପ୍ରବଳ ଥଣ୍ଡା ପଡୁଛି ।

ଥଣ୍ଡା ପଡ଼ିଲେ କ’ଣ ହେଲା? ମୃତ୍ୟୁ ଆସିବାର ଥିଲେ ଆସିବ; କେହି ତାକୁ ଅଟକାଇ ପାରିବେନି । ଘରେ ବସିଥିଲେ ମଧ୍ୟ ମୃତ୍ୟୁ କାହାକୁ ଛାଡ଼ିବନି । ମରଣ ହେବାର ଥିଲେ ଘରେ ଚାଲୁଚାଲୁ ଗୋଡ଼ ଖସିଯିବ । କବାଟରେ ୭ଟି ତାଲା ଝୁଲାଇଲେ ମଧ୍ୟ ମୃତ୍ୟୁଠାରୁ ତ୍ରାହି ମିଳିବନି । ପଣ୍ଡିତ ମିଶ୍ର ପୁଣି କହିଛନ୍ତି, ରୁଦ୍ରାକ୍ଷ ଲୋଭରେ ଯେଉଁମାନେ ଏଠାକୁ ଆସୁଛନ୍ତି; ସେମାନେ ଆସିବା ଦରକାର ନାହିଁ । ଆସିବାର ଅଛି ତ ମହାଦେବଙ୍କ ଦର୍ଶନ ପାଇଁ ଆସ । ରୁଦ୍ରାକ୍ଷ ଆଶାରେ ଆସିବା ଆଦୌ ଉଚିତ ନୁହେଁ ।