ପାଟନା: ବିହାରର ବେଗୁସରାଇରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ମାଡ ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ କେଉଁ କାରଣରୁ ଏହି ଗୁଳିମାଡ ହୋଇଥିବା ଜଣାପଡିନଥିବା ବେଳେ ଦୁର୍ବୃତ୍ତଙ୍କୁ ଖୋଜୁଛି ପୁଲିସ । ସେପଟେ ଏହି ଗୁଳିମାଡ ଘଟଣାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ସ୍ଥାନୀୟ ପୁଲିସ ଏସପିଙ୍କ କହିବା ଅନୁସାରେ, ଦୁଇ ଦୁର୍ବୃତ୍ତ ଜାତୀୟ ରାଜପଥ ୩୧ ଓ ୨୮ର ପ୍ରାୟ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ କରି ଏଭଳି ପ୍ରାୟ ୪ଟି ଘଟଣା ଘଟାଇଛନ୍ତି । ୨୮ ନମ୍ବର ଜାତୀୟ ରାଜପଥରେ ଚନ୍ଦନ କୁମାର ନାମକ ଜଣେ ଯୁବକଙ୍କ ଏହି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି । ଆହତଙ୍କୁ ବିହାରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ନୀତୀଶ ସରକାର ୭ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି ।