ଥାନାରେ ହାଜର ହେଲେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ

ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଜେରା ପାଇଁ ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଛନ୍ତି । ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଗତକାଲି ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଥିଲା ।

ସୂଚନାମୁତାବିକ, ଗତ କିଛି ଦିନ ତଳେ ଅସଦାଚରଣ ଅଭ‌ିଯୋଗ ଆଣି ଅନୁରାଗ କଶ୍ୟପଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ପାୟଲ । ଏହାବ୍ୟତୀତ ଅଭିନେତ୍ରୀ ତାଙ୍କୁ ଭୁଲ୍‌ ଭାବେ ଅଟକ ରଖିବା, ଷଡ଼ଯନ୍ତ୍ର କରିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଅଭିଯୋଗରେ ମଧ୍ୟ ଏତଲା ରୁଜୁ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ସୂଚନା ଦେଇ କହିଥିଲେ ଯେ, ଆଇପିସିର ଧାରା ୩୭୬, ୩୫୪, ୩୪୧,୩୪୨ ଅଧୀନରେ ନିର୍ମାତାଙ୍କ ନାମରେ ଅଭିଯୋଗ ହୋଇଛି। ଆଇପିସିର ଧାରା ଅନୁଯାୟୀ ଏତଲା ରୁଜୁ ହେବା ସହ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି।

ତେବେ ଲିଖିତ ଅଭିଯୋଗ ପୂର୍ବରୁ ପାୟଲ ସୋସିଆଲ ମିଡିଆରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ। ଏପରିକି ଟୁଇଟ‌ରେ, ଅନୁରାଗ କଶ୍ୟପ ମୋତେ ଯୌନ ନିର୍ଯାତନା ଦେଇଥିଲେ ବୋଲି ପୋଷ୍ଟ କରିଥିଲେ। ଏନେଇ ଦୟାକରି ପଦକ୍ଷେପ ନିଅନ୍ତୁ ଏବଂ ଦେଶକୁ ଏହି ସୃଜନଶୀଳ ବ୍ୟକ୍ତିଙ୍କ ପଛରେ ଥିବା ରାକ୍ଷସ ଦେଖାନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଁ ଜାଣେ ଏହା ମୋର କ୍ଷତି କରିପାରେ। ମୋର ସୁରକ୍ଷା ପ୍ରତି ବିପଦ ଅଛି। ତେଣୁ ଦୟାକରି ମତେ ସୁରକ୍ଷା ଦିଅନ୍ତୁ ବୋଲି ପୋଷ୍ଟ ରେ ଲେଖିଥିଲେ ପାୟଲ।