କଟୁରିରେ ବାଡେଇ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

କୁଜଙ୍ଗ(ଏସ୍ ନ୍ଯୁଜ): ପ୍ରେମ ବିବାହର କରୁଣ ପରିଣତି । ବିବାହର ୧୨ ବର୍ଷ ପରେ ମୁଣ୍ଡକୁ କଟୁରି ପଛପଟେ ବାଡ଼େଇ ବାଡ଼େଇ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ପ୍ରେମ ବିବାହ କରି ମଧ୍ୟ ସ୍ୱାମୀର ଏଭଳି ବର୍ବର ହତ୍ୟାକାଣ୍ଡ ଜଗତସିଂହପୁରର କୁଜଙ୍ଗରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗିରଫ ହୋଇଛି ପତ୍ନୀହନ୍ତା ସ୍ୱାମୀ ।

ସୂଚନା ଅନୁଯାୟୀ, ପାରିବାରିକ କଳିରୁ କୁଜଙ୍ଗ ଥାନା ହରସିଣାର ଖପଡ଼ା ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତି ପ୍ରାୟ ୧ଟା ବେଳେ ସ୍ବାମୀ ମେଘନାଦ ତରାଇ (୪୨) ଓ ସ୍ତ୍ରୀ ପାର୍ବତୀ ତରାଇ(୩୭)ଙ୍କ ଭିତରେ ଝଗଡ଼ା ହୋଇଥିଲା। ପାଟି ଶୁଣି ମେଘନାଦଙ୍କ ବାପା ଶ୍ରୀଧର ତରାଇ ପଡ଼ୋଶୀ ମୁରଲୀଧର ତରାଇଙ୍କୁ ଡାକିଥିଲେ। ସେଦୁହେଁ ଦେଖିଲେ ଯେ ମେଘନାଦ ପାର୍ବତୀଙ୍କୁ କଟୁରି ପଛପଟେ ବାଡ଼େଇବାରେ ଲାଗିଛନ୍ତି। ଦୁହେଁ ମେଘନାଦକୁ ଅଟକାଇବାକୁ ଚେଷ୍ଟା କରିଥିଲେ।ହେଲେ ଅଟକାଇବା ପୂର୍ବରୁ ହିଁ ଘଟଣାସ୍ଥଳରେ ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା।

ତେବେ ହତ୍ୟାକାଣ୍ଡକୁ ନେଇ ଗାଁରେ ଚର୍ଚ୍ଚା ହେଉଛି ଯେ, ସ୍ବାମୀ ମେଘନାଦ ତରାଇ ନିଜର ପୂର୍ବତନ ପ୍ରେମିକା ସହ ସଂପର୍କ ରଖିଥିଥିଲେ। ପାର୍ବତୀ ଏହାକୁ ବିରୋଧ କରିଆସୁଥିଲେ।ଏହାକୁ ନେଇ ବି ସ୍ବାମୀ-ସ୍ତ୍ରୀଙ୍କ ଭିତରେ କଳିଝଗଡ଼ା ଲାଗି ରହିଥିଲା। ଏହି ଝଗଡାହି ଭୟଙ୍କର ରୂପ ନେଇଥିଲା ଆଉ ଚାଲିଗଲା ପାର୍ବତୀ ଙ୍କ
ଜୀବନ । ଘଟଣାରେ ମେଘନାଦଙ୍କୁ ଗିରଫ କରି କୁଜଙ୍ଗ ଥାନା ପୁଲିସ୍‌ ପଚରାଉଚରା କରୁଥିବା ସହ ତଦନ୍ତ ଜାରି ରଖିଛି।