ଆଜିଠାରୁ ଚାଷୀଙ୍କ ରିଲେ ଅନଶନ ଆରମ୍ଭ-shaksi news


ନୂଆଦିଲ୍ଲୀ: ୨୬ ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ । ଏ ଯାଏ ବାହାରି ପାରିନି ନିଷ୍କର୍ଷ । କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଜିଦ୍‌ରେ ଅଟଳ ରହିଛନ୍ତି।ଏହାକୁ ନେଇ ଆଜିଠାରୁ କୃଷକମାନେ ବିଭିନ୍ନ ଆନ୍ଦୋଳନ ସ୍ଥଳରେ ୨୪ ଘଣ୍ଟିଆ ରିଲେ ଅନଶନ ଆରମ୍ଭ କରିଛନ୍ତି। ଅତି ବେଶିରେ ୧୧ ଜଣ କୃଷକ ରିଲେ ଅନଶନରେ ବସିବାକୁ ନିଷ୍ପତ୍ତି ହୋଇଛି ବୋଲି ‘ସ୍ବରାଜ ଇଣ୍ଡିଆ’ ମୁଖ୍ୟ ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।

ଏହାସହ କୃଷକ ଆନ୍ଦୋଳନରେ ସମଗ୍ର ଦେଶର କୃଷକ ଯୋଗ ଦେବାକୁ ଶ୍ରୀ ଯାଦବ ଆହ୍ବାନ ଜଣାଇଛନ୍ତି। ସିଂଘୁ, ଟିକ୍ରି, ୟୁପି ଗେଟ୍‌ ଏବଂ ଚିଲ୍ଲା, ଘାଜିପୁର ସୀମା, ମିରୁଟ୍‌-ଦିଲ୍ଲୀ ସୀମାରେ ଚାଷୀମାନେ ରିଲେ ଅନଶନ ଆରମ୍ଭ କରିଛନ୍ତି।

ସେହିପରି ଆଜି ବିନ୍ଦକି ଅଞ୍ଚଳରେ କୃଷକ ନେତା ବାବ୍‌ଲୁ କାଳିଆଙ୍କ ନେତୃତ୍ବରେ ୨୪ ଘଣ୍ଟିଆ ରିଲେ ଅନଶନ ଆରମ୍ଭ ହୋଇଛି। ନୂଆ କୃଷି ଆଇନ ଚାଷୀଙ୍କ ପାଇଁ ‘ମୃତ୍ୟୁ ପରୱାନା’ ବୋଲି କୃଷକ ନେତା କାଳିଆ କହିଛନ୍ତି। ଆଜି ସିଂଘୁ ସୀମାରେ ଆନ୍ଦୋଳନ ଚାଲିଥିବାବେଳେ ପଞ୍ଜାବର ଟର୍ନ ଟରାନ୍‌ ଅଞ୍ଚଳର ଜଣେ ୬୫ ବର୍ଷୀୟ ବୃଦ୍ଧ ଚାଷୀ ନିରଞ୍ଜନ ସିଂହ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ପୁଲିସ ଉଦ୍ଧାର କରି ପିଜିଆଇଏମ୍‌ଏସ୍‌ ହସ୍ପିଟାଲ୍‌କୁ ନେଇଥିଲେ। ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ବାଧ୍ୟ କରିଛନ୍ତି ବୋଲି ସମ୍ପୃକ୍ତ ଚାଷୀ କହିଛନ୍ତି। ଯେଉଁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି, ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଶାହ ଦାୟୀ ରହିବେ ବୋଲି ଚାଷୀ ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଥାଉକି, କୃଷକ ଆନ୍ଦୋଳନ କାଳରେ ଏ ପର୍ଯ୍ୟନ୍ତ ୩୦ ଜଣ ଚାଷୀଙ୍କର ମୃତ୍ୟୁ ହୋଇସାରିଲାଣି।