ପରୀକୁ ପ୍ରଥମେ ହତ୍ୟା, ପରେ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ: ଅରୁଣ ବୋଥ୍ରା-shaksi news


କଟକ: ପରୀକୁ ପ୍ରଥମେ ହତ୍ୟା, ପରେ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି। ବୋଥ୍ରା ପରୀ ହତ୍ୟା ଘଟଣାର ଗୁମର ଖୋଲିଥିବା ବେଳେ କେମିତି ଓ କେଉଁ ପରିସ୍ଥିତିରେ ହୋଇଥିଲା ପରୀର ହତ୍ୟା ତାହା ବଖାଣିଛନ୍ତି।

ସେ କହିଛନ୍ତି, ପରୀ ହତ୍ୟା ମାମଲାରେ ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି । ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ । ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି । ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଯଦୁପୁର ଗାଁର ପୋଖରୀ ଶୁଖାଯାଉଛି । ମୋର ୨୨ ବର୍ଷର ପୁଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା ।

ଅଭିଯୁକ୍ତ ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା କଥା ଜେରା ବେଳେ ଅଭିଯୁକ୍ତ ମାନିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସରୋଜ ରାତିରେ ଅଭିଯୁକ୍ତ ସାନଭଉଣୀଙ୍କର ମୋବାଇଲରେ ଅଶ୍ଳୀଳ ଫିଲ୍ମ ରଖି ଦେଖୁଥିଲା । ଅଶ୍ଲୀଳ ଫିଲ୍ମ ଦେଖିବା ପରେ ସେଗୁଡ଼ିକୁ ଡିଲିଟ୍ କରି ଦେଉଥିଲା।ତେବେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଥିଲା ଅଭିଯୁକ୍ତ। କାଳେ ଧରାପଡ଼ିଯିବ ବୋଲି ଆଶଙ୍କା କରି ପରେ ପରୀକୁ ଅଖା ଭିତରେ ବାନ୍ଧି ଫିଙ୍ଗି ଦେଇଥିବା କଥା ପୋଲିସ ଆଗରେ ମାନିଥିଲା ଅଭିଯୁକ୍ତ ସରୋଜ ସେଠୀ।

ତେବେ ଏହି ଘଟଣାର କେହି ଆଇ ୱିଟନେସ୍ ବା ଚାକ୍ଷୁସ ପ୍ରମାଣ ମିଳିନଥିବା କହିଛନ୍ତି ଏସଆଇଟି ମୁଖ୍ୟ । ଏଥିଲାଗି ବୈଜ୍ଞାନିକ ପ୍ରମାଣ ଏକାଠି କରାଯାଉଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁରା ଘଟଣାକୁ ନେଇ ବୋଥ୍ରା କହିଛନ୍ତି ପରୀର ଘରଠାରୁ ସରୋଜର ଘର ୨ଶହ ମିଟର ପାଖାପାଖି । ସରୋଜର ସାନଭଉଣୀ ସହ ପରୀର ଭଲ ସଂପର୍କ ଥିଲା । ସରୋଜ ଘରେ ଥିବା ଜାମୁ କୋଳି ଖାଇବାକୁ ପିଲାମାନେ ଯାଇଥା’ନ୍ତି । ୧୩ ତାରିଖ ଦିନ ପରୀ ଜାମୁକୋଳି ଖାଇବାକୁ ଯାଇଥିଲା ଓ ଫେରିଆଶିଥିଲା। ପରେ ପୁଣି ୧୪ ତାରିଖ ଦିନ ପରୀ ଏକା ଏକା ଜାମୁକୋଳି ଖାଇବାକୁ ଯାଇଥିଲା। ସରୋଜର ବାପା ନାହିଁ, ମା ଓ ସାନ ଭଉଣୀ ଚାକିରି କରୁଛନ୍ତି, ବଡ଼ ଭଉଣୀ ବାହା ହୋଇଛି । ସେଦିନ ତାଙ୍କ ମା’ ଓ ସାନ ଭଉଣୀ ଘରେ ନ ଥିଲେ । ସରୋଜ ପରୀକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ପରୀ ଏଥିରେ ବାଧା ଦେବାକୁ ସେ ତା ତଣ୍ଟି ଚିପି ଦେଇଥିଲା । ମୃତ୍ୟୁ ପରେ ନାବାଳିକାର ମୃତଦେହ ସାଥିରେ ଦୁଷ୍କର୍ମ କରିଥିଲା । ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ସେ ଏଭଳି କରିଥିବା ସରୋଜ କହିଛି । ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୂରାଇଥିଲା । ବସ୍ତାରେ ମୃତଦେହ ଓ ଫ୍ରକ୍ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା ବୋଲି କହିଛି।

ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗ୍ସକୁ ସେ ନେବା ଭୁଲି ଯାଇଥିଲା । ପରେ ଲେଗିଙ୍ଗସକୁ ନେଇ ସେ ପୋଖରୀରେ ଫିଙ୍ଗିଥିବା କହିଛି । ପଛରେ ଫିଙ୍ଗିଥିବା ଲେଗିଙ୍ଗସକୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି । ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା । ପର୍ଣ୍ଣୋ ଫିଲ୍ମ ମୋବାଇଲ ଫୋଲ୍ଡରରେ ରଖି ଲକ୍ ପକାଇଥିଲା । ଘଟଣାର ପୂର୍ବଦିନ ୧୩ ରାତିରେ ରାତିସାରା ପର୍ଣ୍ଣୋ ଫିଲ୍ମ ଦେଖିଛି । ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ୱୀକାର କରିଛି ସରୋଜ । ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ, ଏଭଳି କରିଥିବା କହିଛି ।

ହାଇଦ୍ରାବାଦର ସିସିଏମବି ଓ ଦିଲ୍ଲୀର ଏନଆଇପିଜିଆର ସହ କଥା ହୋଇଛୁ । ତା ଘରୁ ବାହାରିଥିବା ଗଛଡାଳକୁ ଏନଆଇପିଜିଆରକୁ ପଠାଯିବ । ପ୍ରଥମେ ପଲିଗ୍ରାଫ୍ କରିବାକୁ ସରୋଜ ଅରାଜି ହେଉଥିଲା । ପଲିଗ୍ରାଫ୍ ଟେଷ୍ଟରେ ତାର ଉତ୍ତର ମିଛଥିବା ଜଣାପଡ଼ିଥିଲା । ଘଟଣା ପରେ ସରୋଜ ୨ ଜଣଙ୍କୁ ଏକଥା ଜଣାଇଥିଲା । ସେଥିରୁ ଜଣଙ୍କ ସହ କଥା ବେଳେ ତାଙ୍କ ଭିଡିଓ ଏବଂ ଅଡିଓ ଅନ୍ ଥିଲା । ଆମକୁ ସେହି ଭିଡିଓ ଏବଂ ଅଡିଓ ବଡ଼ ପ୍ରମାଣ ଭାବେ ମିଳିପାରିବ। ମୃତଦେହ ନଷ୍ଟ ପାଇଁ କେମିକାଲ ବ୍ୟବହାର ହୋଇ ନଥିବା ରିପୋର୍ଟ ଆସିଛି ।