ବନ୍ୟା ବିପର୍ଯ୍ୟୟ ପରେ ପ୍ରଶାସନିକ ଅବହେଳା

ରିଲିଫ୍ ଚାଉଳରୁ ବଞ୍ଚିତ ୩୧ ପରିବାର…

ଧାମନଗର(ସାକ୍‌ସୀ ନ୍ୟୁଜ୍‌): ପ୍ରାକୃତିକ ଦୁର୍ବିପାକ ଓ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ ସରକାରୀସ୍ତରରେ ବିଭିନ୍ନ ବ୍ୟବସ୍ଥା କରାଯାଉଥିବା ଦାବି କରାଯାଉଥିଲେ ମଧ୍ୟ ପ୍ରକୃତ କ୍ଷତିଗ୍ରସ୍ତମାନେ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଆସିଛି ରହିପୁର ପଞ୍ଚାୟତ କାଠମୁଣ୍ଡା ନାୟକସାହିରୁ । ସୂଚନା ଅନୁଯାୟୀ, ଏହି ସାହିରେ ୩୭ଟି ପରିବାର ବାସ କରୁଛନ୍ତି । ମାତ୍ର ବନ୍ୟା ଓ ବିପର୍ଯ୍ୟୟ ସମୟରେ ମିଳିବାକୁ ଥିବା ରିଲିଫ୍ ଚାଉଳ ଏବଂ ସହାୟତାଠାରୁ ଏଠାକାର ୩୧ ଜଣ ବ୍ୟକ୍ତି ବଞ୍ଚିତ ହୋଇଛନ୍ତି। ପ୍ରକୃତ ପ୍ରଭାବିତମାନେ ସରକାରୀ ସହାୟତାରୁ ବାଦ୍ ପଡ଼ିଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବନ୍ୟା ସମୟରେ ପ୍ରଶାସନ କିମ୍ବା ସ୍ଥାନୀୟସ୍ତରରୁ ଯେଉଁ ରିଲିଫ୍ ବଣ୍ଟନ କରାଯାଇଥିଲା, ତାହା ଅତ୍ୟନ୍ତ ନିମ୍ନମାନର ଏବଂ ଅପର୍ଯ୍ୟାପ୍ତ ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ରିଲିଫ୍ ନାମରେ ସେମାନଙ୍କୁ କେବଳ ଗୋଟିଏ ପାଣିବୋତଲ ଏବଂ ଗୋଟିଏ ବିସ୍କୁଟ ପ୍ୟାକେଟ୍ ଦିଆଯାଇଥିଲା, ଯାହାକି ଏତେ ପରିବାରର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଅପର୍ଯ୍ୟାପ୍ତ ଥିଲା । ରିଲିଫ୍ ଓ ସହାୟତାରୁ ବଞ୍ଚିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ମଞ୍ଜୁଲତା ନାୟକ, ଉପେନ୍ଦ୍ର ପଲାଇ, ସେବତୀ ଦାସ, ତିଳୋତ୍ତମା ଦାସ, ମୂଷା ରାଉତ, ରାଜକିଶୋର ନାୟକ, ଭାରତୀ ନାୟକ, ରମାକାନ୍ତ ବାରିକ, କାର୍ଷିକ ନାୟକ ଏବଂ ଶୁଭମ ନାୟକ ପ୍ରମୁଖ ଅଛନ୍ତି। ଏହି ପରିବାରଗୁଡ଼ିକ ବନ୍ୟା ପରବର୍ତ୍ତୀ ସମୟରେ ଖାଦ୍ୟସମସ୍ୟା ଓ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ପ୍ରାପ୍ୟ ରିଲିଫ୍ ଚାଉଳ ଓ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ  ।