୧୮୩ଜଣ ପାକିସ୍ତାନୀ ସମେତ ଆଇଏସଆଇର ମୁଖ୍ୟ ଭଉଣୀଙ୍କ ଭିସା ରଦ୍ଦ କଲା ଫ୍ରାନ୍ସ

ନୂଆଦିଲ୍ଲୀ: ଫ୍ରାନ୍ସ ୧୮୩ଜଣ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି। ୧୮୩ଜଣ ପାକିସ୍ତାନୀ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ନେଇ ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ନେଇଛି ଫ୍ରାନ୍ସ। ସବୁଠାରୁ ବଡ କଥା ୧୮୩ ଜଣଙ୍କ ମଧ୍ୟରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ମୁଖ୍ୟ ଶୁଜା ପାଶାଙ୍କ ଭଉଣୀ ମଧ୍ୟ ରହିଛନ୍ତି।

ଫ୍ରାନ୍ସରେ ପେଗାମ୍ବର ମହମ୍ମଦଙ୍କ ଛପାଯାଇଥିବା କାର୍ଟୁନ୍ ପାଇଁ ଫ୍ରାନ୍ସରେ ବିବାଦ ଦେଖାଦେଇଥିଲା, ଯାହା ପରେ ଫ୍ରାନ୍ସରେ ମଧ୍ୟ କିଛି ଆତଙ୍କବାଦୀ ଆକ୍ରମଣ ହୋଇଛି। କାର୍ଟୁନ୍ ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମୈକ୍ରୋଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନ ସମେତ ଅନ୍ୟ ମୁସଲମାନ ଦେଶମାନେ ନିନ୍ଦା କରିଛନ୍ତି।

ଏହି ବିବାଦ ମଧ୍ୟରେ ହିଁ ଫ୍ରାନ୍ସ, ପାକିସ୍ତାନୀ ଦୂତାବାସରେ ୧୮୩ଜଣ ପାକିସ୍ତାନୀ ନାଗରିକଙ୍କ ତାଲିକା ଦାଖଲ କରିଛି, ଯେଉଁମାନଙ୍କ ଭିସା ରଦ୍ଦ ହୋଇଛି। ଫ୍ରାନ୍ସ ଭିସା ରଦ୍ଦ ନେଇ ତାଲିକା ଦାଖଲ କରିବା ପରେ କିଛି ଲୋକଙ୍କୁ ଅସ୍ଥାୟୀ ଭାବେ ରହିବାକୁ ଅନୁମତି ଦେବା ପାଇଁ ପାକିସ୍ତାନ ପକ୍ଷରୁ ଏକ ନିବେଦନ କରାଯାଇଥିବା ଜଣା ପଡ଼ିଛି।

ଉଲ୍ଲେଖଯୋଗ୍ୟ, ଫ୍ରାନ୍ସରେ ଜଣେ ଶିକ୍ଷକଙ୍କ ହତ୍ୟା ଏବଂ ପେଗାମ୍ବର ମହମ୍ମଦଙ୍କ କାର୍ଟୁନ୍ ଛପାଯିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।ଏହାପରେ ଫ୍ରାନ୍ସ ରାଷ୍ଟ୍ରପତି ସ୍ପଷ୍ଟ କରିଥିଲେ ଯେ ସେ ନିଜ ଦେଶରେ ଧର୍ମ ନାମରେ ହିଂସା ସୃଷ୍ଟି କରିବାକୁ ଅନୁମତି ଦେବେ ନାହିଁ।ଯାହାକୁ
ନେଇ ଏହିସବୁ ବେଆଇନ କାର୍ଯ୍ୟକଳାପ ଉପରେ ପଦକ୍ଷେପ ନେଇଛନ୍ତି ଫ୍ରାନ୍ସ।