ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଐତିହାସିକ ତିନୋଟି ଚାଷ ଓ ଚାଷୀ ଆଇନ ବିରୋଧରେ ଚାଷୀମେଳି କ୍ରମେ ଗୁରୁତର ଆଡ଼କୁ ଗତି କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଯେତେ ଚେଷ୍ଟା କଲେ ମଧ୍ୟ ଚାଷୀମେଳିକୁ ବନ୍ଦ କରି ପାରୁନାହାନ୍ତି ।
ପଞ୍ଜାବ ଓ ହରିୟାଣା ସୀମାନ୍ତ ଇଲାକା ଶମ୍ଭୁସ୍ଥିତ ପାଟିଆଲା-ଅମ୍ବାଲା ରାଜପଥ ଓ ହରିୟାଣାର ଜିନ୍ଦ ଜିଲ୍ଲାର ଖାନୌରୀ ଏବେ ‘ଦିଲ୍ଲୀ ଚଲୋ’ର କେନ୍ଦ୍ର ପାଲଟିଛି ।ହଜାର ହଜାର ସଂଖ୍ୟକ ଚାଷୀମାନେ ଟ୍ରାକ୍ଟର ଟ୍ରଲି, ଟ୍ରକ, ଏସୟୁଭି ଓ ପାଦରେ ଦିଲ୍ଲୀକୁ ଯାଇଥିବା ରାସ୍ତାର ସବୁ ପ୍ରତିବନ୍ଧକକୁ ଅତିକ୍ରମ କରି ଆଗକୁ ଯାଉଥିବା ବେଳେ ପୁଲିସ ସେମାନଙ୍କ ପ୍ରତି ଲୁହବୁହା ଗ୍ୟାସ୍ ପ୍ରୟୋଗ କରି ପଛକୁ ହଟାଇବାକୁ ଉଦ୍ୟମ ଜାରି ରଖିଛି ।
ପୁଲିସର ସବୁ କାରସାଦିକୁ ମୁହଁତୋଡ ଜବାବ ଦେବାକୁ ଚାଷୀମାନେ ଟ୍ରାକ୍ଟର ଓ ଜେସିବି ବ୍ୟବହାର କରୁଛନ୍ତି । ପୁଲିସର ଲୁହବୁହା ବାଷ୍ପକୁ ମୁକାବିଲା କରିବା ପାଇଁ ଚାଷୀମାନେ ଝୋଟ ଅଖା ବ୍ୟବହାର କରୁଛନ୍ତି । ପୁଲିସ-ଚାଷୀଙ୍କ ଖଣ୍ଡଯୁଦ୍ଧରେ ଶତାଧିକ ଚାଷୀ ଆହତ ହୋଇଛନ୍ତି ।