ବିମାନରେ ଯାତ୍ରୀଙ୍କୁ ପରସା ଯାଇଥିବା ସ୍ୟାଣ୍ଡୱିଚ୍‌ରେ ବୋଲ୍ଟ

ବେଙ୍ଗାଲୁରୁ: ବିମାନ ଭିତରେ ଯାତ୍ରୀଙ୍କୁ ତ୍ରୁଟିଶୂନ୍ୟ ସେବା ପ୍ରଦାନ କରି ପାରୁନାହାନ୍ତି ଏକାଧିକ ବିମାନ ସେବା ସଂସ୍ଥା । ଇଣ୍ଡିଗୋ ବିମାନରେ ଚେନ୍ନାଇ ଅଭିମୁଖେ ଯାଉଥିବା ଜଣେ ମହିଳା ଯାତ୍ରୀଙ୍କ ବିମାନ ଭିତରେ ପରସା ଯାଇଥିବା ସ୍ୟାଣ୍ଡୱିଚରେ ଏକ ବୋଲ୍ଟ ଦେଖିବାକୁ ମିଳିଥିଲା । ସଂପୃକ୍ତ ମହିଳା ଯାତ୍ରୀ ତାଙ୍କର ତିକ୍ତ ଅନୁଭୂତିକୁ ଏକ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବିମାନ ସଂସ୍ଥାର ଗ୍ରାହକ ସେବା ଅତ୍ୟନ୍ତ ନିମ୍ନମାନର ବୋଲି ମହିଳା ଯାତ୍ରୀ ଜ୍ୟୋତି ରାଉତେଲା ଅଭିଯୋଗ କରିଛନ୍ତି । ସେ ଫେବୃଆରୀ ପହିଲା ଦିନ ୬ଇ-୯୦୪ ବିମାନରେ ଚେନ୍ନାଇ ଯାଉଥିବା ବାଟରେ ତାଙ୍କୁ ପରିଚାରିକା କିଛି ଜୁସ ଓ ସ୍ୟାଣ୍ଡୱିଚ୍‌ ଦେଇଥିଲେ ।

ସ୍ୟାଣ୍ଡୱିଚ୍‌ରୁ କିଛି ପାଟିକୁ ନେଇ ଚୋବାଇଲା ବେଳେ ଦାନ୍ତରେ ଏକ ଟାଣୁଆ ଜିନିଷ ଚାପି ଦେଇଥିବା ଅନୁଭବ କଲେ । ଜିଭରେ ତାକୁ ବାହାରକୁ ଆଣି ଦେଖିଲେ ଯେ ସେଇଟା ଗୋଟିଏ ଲୁହାର ବୋଲ୍ଟ । ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରି ଇଣ୍ଡିଗୋ କହିଛି ଯେ ସଂପୃକ୍ତ ଯାତ୍ରୀ ବିମାନ ଭିତରେ ରିପୋର୍ଟ କଲେନି କାହିଁକି? ଇଣ୍ଡିଗୋର ଏହି ଯୁକ୍ତି ତର୍କସାପେକ୍ଷ ନୁହେଁ । ଭୁଲକୁ ଘୋଡ଼ାଇବାକୁ ଯାଇ ବୃଥା ବାହାଦୁରି ।