ରାମନାଗୁଡ଼ା(ସାକ୍ସୀ ନ୍ୟୁଜ୍): ସରକାରଙ୍କ କୋଟି କୋଟି ଟଙ୍କା ବିନିଯୋଗରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାରେ ନୂତନ ଭାବେ ନିର୍ମିତ ହୋଇଥିବା ବସ୍ଷ୍ଟାଣ୍ଡ ଏବେ ସଫେଇ କର୍ମଚାରୀ ଓ ଜଗୁଆଳିଙ୍କ ଭରସାରେ ଚାଲୁଛି। OSRTC ଅଧୀନରେ ଥିବା ଦୁଇଟି ମୁଖ୍ୟମନ୍ତ୍ରୀ ବସ୍ ସେବା ଯଥା OD18M3242 – ରାମନାଗୁଡ଼ା ଭାୟା ପେନ୍କମ୍ ଓ OD18M3364 – ରାମନାଗୁଡ଼ା ଭାୟା ଗୁମୁଡା ପ୍ରତିଦିନ ଚାଲୁଛି। ହେଲେ ଦୁର୍ଭାଗ୍ୟର ବିଷୟ, ଦୀର୍ଘ ଏକ ମାସ ହେଲା OSRTCର କୌଣସି କର୍ମଚାରୀଙ୍କ ଅନୁପସ୍ଥିତିରେ ବସ୍ ସେବା ଚାଲୁଛି ।
କର୍ମଚାରୀ ଅଭାବ ନା କର୍ମଚାରୀ ସରକାରୀ ଦରମା ଖାଇ ଘରେ ଶୋଇଛନ୍ତି, ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଏହି ଖବର ଗୁଞ୍ଜରଣ ହେବା ପରେ ଆମେ OSRTC ଜିଲ୍ଲା ପରିଚାଳକଙ୍କ ମତାମତ ନେବାରୁ ସେ ପ୍ରଥମେ “ମୁଁ ଏ ବିଷୟରେ ଅବଗତ ନାହିଁ” ବୋଲି କହିଥିଲେ। ପୁଣି ଥରେ ଫୋନ୍ ମାଧ୍ୟମରେ କହିଲେ ଯେ ଘଟଣାଟି ସତ୍ୟ ଅଟେ। ଜିଲ୍ଲା ପରିଚାଳକ ଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀଙ୍କ କହିବା ଅନୁସାରେ, ରାମନାଗୁଡ଼ା ନୂତନ OSRTC ବସ୍ଷ୍ଟାଣ୍ଡ ପ୍ରାୟ ଏକ ମାସ ହେଲା ବିନା ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ଏକ ମାସ ମଧ୍ୟରେ ଅନେକ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ସର୍ବସାଧାରଣଙ୍କ ନଜରକୁ ଆସିଛି ଓ କିଛି ଭିଡିଓ ଭାଇରାଲ୍ ହେବା ନେଇ ଜନସାଧାରଣଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଏହି ସବୁ ବିଷୟ OSRTC ଜିଲ୍ଲା ପରିଚାଳକଙ୍କ ନଜରକୁ ଆସିଥିଲେ ମଧ୍ୟ ସେ ନିଦାବିଷ୍ଣୁ ସାଜିଛନ୍ତି ବୋଲି ଅଭିଯୋଗ ହୋଇଛି ।
ଆଦାୟ ୧ ଲକ୍ଷରୁ ୩୦ ହଜାରକୁ ଖସିଲା
ବିଶେଷ ସୂତ୍ରରୁ ଜଣାପଡ଼ିଛି, ଦୁଇଟି ବସ୍ର ମାସିକ ଆଦାୟ ପ୍ରାୟ ଏକ ଲକ୍ଷ ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ତାହା ଦୁଇଟି ବସ୍ର ମାସିକ ଆଦାୟ ୩୦ ହଜାର ଟଙ୍କା ମଧ୍ୟରେ ସୀମିତ ରହିଛି। ଜନସାଧାରଣ ଏବଂ ବୁଦ୍ଧିଜୀବୀଙ୍କ ମନରେ ବିନା କର୍ମଚାରୀରେ ଏହି ଆଦାୟ ଟିକେଟ୍ ଟଙ୍କା ରାଜକୋଷକୁ ଯାଉଛି ନା ବାଟମାରଣା ହେଉଛି, ତାହା ଏଠାରେ ବଡ଼ ପ୍ରଶ୍ନ ଅଟେ। ମୁଖ୍ୟମନ୍ତ୍ରୀ ବସ୍ ବ୍ଲକ୍ ସୁପରଭାଇଜର୍, ପରିଚାଳନା ସୁପରଭାଇଜର୍ ଓ ହେଡ୍ କଣ୍ଡକ୍ଟର ଦୁର୍ଘଟଣାରେ ଛୁଟିରେ ଅଛନ୍ତି ବୋଲି କୁହାଯାଉଛି। ରାମନାଗୁଡ଼ା ନୂତନ OSRTC ବସ୍ଷ୍ଟାଣ୍ଡଟି ଜାତୀୟ ରାଜପଥ ୩୨୬ ନମ୍ବରରେ ଅବସ୍ଥିତ ହେବା ସତ୍ତ୍ୱେ ବସ୍ଷ୍ଟାଣ୍ଡରେ କେବଳ ଦୁଇଗୋଟି ମୁଖ୍ୟମନ୍ତ୍ରୀ ବସ୍ ସେବା ପ୍ରାପ୍ତ ହେଉଛି। ଉକ୍ତ ବସ୍ଷ୍ଟାଣ୍ଡରେ ୧୮ରୁ ୨୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ଏଠାରେ ପ୍ରକାଶ ଥାଉ ଯେ, ଓଡ଼ିଶା ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ବିନିଯୋଗରେ ତିଆରି ବସ୍ଷ୍ଟାଣ୍ଡରୁ ଜନସାଧାରଣ ନିମ୍ନଲିଖିତ ସୁବିଧା ପାଇପାରୁ ନାହାଁନ୍ତି — ଯଥା ଶୌଚାଳୟ, ବିଶ୍ରାମଗାର, ଅନ୍ୟ ବସ୍କୁ ଅପେକ୍ଷା, ମୃଦୁ ପାନୀୟ ଜଳ। ଏହି ସବୁ ସୁବିଧା ଜନସାଧାରଣ ପାଇବେ ବୋଲି ସରକାରଙ୍କ ଦୂରଦୃଷ୍ଟି ଥିବା ସ୍ଥଳେ ଏହି ସ୍ଥାନରେ ସବୁବେଳେ ଫାଟକ ବନ୍ଦ ରହିବା ନଜର ଆସିଛି। ଯାହାଦ୍ୱାରା ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାକୁ OSRTC ରାମନାଗୁଡ଼ା ବସ୍ କର୍ମଚାରୀ ତଳିତଳାନ୍ତ କରୁଥିବା ନଜିର ଆସିଛି ।