ନୂଆଦିଲ୍ଲୀ: ଭାରତରେ ଏବେ ଜିନିଷ କିଣା ବିକା ଠାରୁ ଆରମ୍ଭ କରି ସ୍କୁଲରେ ଆଡମିସନ ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ଆଧାର କାର୍ଡ । ଆଉ ଏହି ଆଧାର କାର୍ଡର ଅପବ୍ୟବହାର ହୋଉଥିବାର ମଧ୍ୟ ଅନେକ ନଜିର ରହିଛି । ଯାହାକି ଉଭୟ ଆଧାରକାର୍ଡଧାରୀ ଏବଂ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାରି ଭିତରେ ଆଧାର କାର୍ଡକୁ ନେଇ ଏକ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର ।
ଆଧାର କାର୍ଡର ଦୂରୁପଯୋଗ ରୋକିବା ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି କେନ୍ଦ୍ର ସରକାର । ଅପବ୍ୟବହାର ରୋକିବା ଲାଗି ପ୍ରକୃତ ଆଧାର କାର୍ଡ ନୁହେଁ କେବଳ ଆଧାର କାର୍ଡର ‘ମାସ୍କଡ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକମାନଙ୍କୁ କହିଛନ୍ତ । ସରକାର କହିଛନ୍ତି, ଅପବ୍ୟବହାର ହେବାର ଆଶଙ୍କା ଥିବାରୁ କୌଣସି ସଂସ୍ଥାକୁ ଆପଣଙ୍କ ‘ଆଧାର କାର୍ଡ’ର ଜେରକ୍ସ କପି ଦିଅନ୍ତୁ ନାହିଁ । ଏହା ପରିବର୍ତ୍ତ, ଆପଣଙ୍କ ଆଧାର କାର୍ଡର ଶେଷ ଚାରିଟି ନମ୍ବର ଦେଖାଉଥିବା ‘ମାସ୍କଡ୍ ଆଧାର’ ବ୍ୟବହାର କରନ୍ତୁ ।
ଆଧାର କାର୍ଡ ହେଉଛି ଜଣେ ବ୍ୟକ୍ତିଙ୍କ ପରିଚୟ ପତ୍ର । ଏପରିସ୍ଥିତିରେ ହୋଟେଲ ଏବଂ ଫିଲ୍ମ ହଲ ଆଦିରେ ଆପଣଙ୍କ ଆଧାର କାର୍ଡର ଜେରକ୍ସକୁ ରଖିବାରେ କୌଣସି ଅଧିକାର ନାହିଁ ବୋଲି କେନ୍ଦ୍ର ଆଇଟି ମନ୍ତ୍ରାଳୟ କହିଛି । ଯଦି ଏହି ସଂସ୍ଥାଗୁଡିକ ଆପଣଙ୍କ ଆଧାର କାର୍ଡର ଫଟୋ କପିକୁ ରଖିବା ପାଇଁ ଦାବି କରୁଛନ୍ତି ତେବେ ଏହା ଆଧାର କାର୍ଡ ଆଇନ ୨୦୧୬ର ଉଲ୍ଲଙ୍ଘନ ।
ଏହାଛଡ଼ା ସରକାର କହିଛନ୍ତି ଯେ ନିଜ ନିଜର ଆଧାର କାର୍ଡ ଡାଉନଲୋଡ କରିବା ନିମନ୍ତେ ସେମାନେ ଇଣ୍ଟରନେଟ କାଫେରେ ଥିବା ସର୍ବସାଧାରଣଙ୍କ ବ୍ୟବହାର ନିମେନ୍ତ ଉଦ୍ଧିଷ୍ଟ କମ୍ପ୍ୟୁଟର ବ୍ୟବହାର କରିବା ଅନୁଚିତ । ଯଦି ସେଭଳି କରୁଥା’ନ୍ତି, ତେବେ ଉକ୍ତ କମ୍ପ୍ୟୁଟରରେ ଡାଉନଲୋଡ ହୋଇଥିବା ‘ଇ-ଆଧାର’ କପିକୁ ଡିଲିଟ କରି ଦିଅନ୍ତୁ । ତେଣୁ, ଆଧାର କାର୍ଡ ଶେୟାର କରିବା ପୂର୍ବରୁ ନାଗରିକମାନେ ଉକ୍ତ ସଂସ୍ଥାନ ସବୁ ‘ୟୁଆଇଡିଏଆଇ’ରୁ ବୈଧ୍ୟ ‘ୟୁଜର୍ସ ଲାଇସେନ୍ସ’ ପାଇଛନ୍ତି କି, ନାହିଁ ଯାଞ୍ଚ କରିବା ଲାଗି ସରକାର ନାଗରିକମାନଙ୍କୁ କହିଛନ୍ତି ।