ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ଜିଏସ୍ଟି ହଙ୍ଗାମା
ଗୁଜରାଟ ସରକାର ଗରୱା ସମାରୋହରୁ ବେଶ ଦୁଇପଇସା ରୋଜଗାର କରିବା ଯୋଜନାରେ ଅଛନ୍ତି….
ଅହମ୍ମଦାବାଦ: ଗରୱା ମହୋତ୍ସବକୁ ଲାଗିଛି ଜିଏସ୍ଟି ଗ୍ରହଣ । ଯାହାକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘର ପାଲଟିଛି ରଣକ୍ଷେତ୍ର । ଗରୱା ପାଳନ ପାଇଁ ଶ୍ରଦ୍ଧାଳୁମାନେ କିଣୁଥିବା ପୋଷାକପତ୍ର ତଥା ଅନ୍ୟାନ୍ୟ ସାମଗ୍ରୀ ଉପରେ ଜିଏସ୍ଟି ବସା ଯାଉଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ବିବାଦର ମୁଖ୍ୟ ପ୍ରସଙ୍ଗ ହେଉଛି ଗରୱା ସ୍ଥଳକୁ ଯିବା ପାଇଁ ଆୟୋଜକଙ୍କ ପକ୍ଷରୁ ଜାରି ପ୍ରବେଶ ପତ୍ର ଉପରୁ ଜିଏସ୍ଟି ଆଦାୟ । ସରକାରଙ୍କ ଜିଏସ୍ଟି ନିଷ୍ପତିକୁ ତୀବ୍ର ପ୍ରତିବାଦ କରିଛି ବିପକ୍ଷ । ଜିଏସ୍ଟି ଆଦାୟକୁ କେନ୍ଦ୍ର କରି ପ୍ରତି ବୈଠକରେ ନୂଆନୂଆ ବିବାଦ ମୁଣ୍ଡ ଟେକୁଛି ଯାହାକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କଡ଼ା ମେହେନତ କରିବାକୁ ପଡୁଛି ।
ମାତ୍ର ଗରୱା ଭଳି ଧାର୍ମିକ ମହୋତ୍ସବରୁ ଜିଏସ୍ଟି ସଂଗ୍ରହ ନିଶା ବିଜେପି ଗଳାରେ କଂଟା ହୋଇଛି । ଗୁଜରାଟ ସରକାର ଗରୱା ସମାରୋହରୁ ବେଶ ଦୁଇପଇସା ରୋଜଗାର କରିବା ଯୋଜନାରେ ଅଛନ୍ତି ।
ଆୟୋଜକ ମଣ୍ଡଳୀ ପକ୍ଷରୁ ବିକା ଯାଇଥିବା ୧ ଲକ୍ଷ ପ୍ରବେଶ ପତ୍ର ଉପରୁ ରାଜ୍ୟ ସରକାର ପ୍ରାୟ ଦେଢ଼କୋଟି ଟଙ୍କା ପାଇବା ଆଶା ରଖିଛନ୍ତି । ରାଜକୋଟରେ ବିକା ଯାଇଥିବା ୫୦ ହଜାର ପ୍ରବେଶ ପତ୍ର ଉପରୁ ସରକାର ପ୍ରାୟ ଏକ କୋଟି ଟଙ୍କା ପାଇପାରନ୍ତି । ପ୍ରବେଶ ପତ୍ର ଛଡ଼ା ଗରୱା ଓଢ଼ଣି ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍ଟି ଆଦାୟ କରାଯାଉଛି । ସମାରୋହରେ ଯୋଗ ଦେଉଥିବା ପ୍ରତି ଶ୍ରଦ୍ଧାଳୁଙ୍କୁ ଅତି କମ୍ରେ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏକ ହଜାର ଟଙ୍କା ଉପରେ ୧୨ ପ୍ରତିଶତ ଜିଏସ୍ଟି ବସାଇଲେ, ଗରୱା ସାମଗ୍ରୀର ମୂଲ୍ୟ ୧୧୨୦ ଟଙ୍କା ହେଉଛି ।
ଗରୱା ପ୍ରବେଶ ପତ୍ର ପିଛା ୧୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯାଉଛି । ତେଣୁ ଲୋକଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଆୟୋଜକମାନେ ବିକଳ୍ପ ବ୍ୟବସ୍ଥା କରିଛନ୍ତି । ଆୟୋଜକଙ୍କ ପରାମର୍ଶ ହେଉଛି, ଦୈନିକ ଗରୱା ସମାରୋହରେ ଯୋଗ ଦେବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୪୯୯ ଟଙ୍କାରୁ କମ୍ ପରିମାଣର ପ୍ରବେଶ ପତ୍ର ଦିଆଯାଉଛି ଯାହା ଉପରେ ଜିଏସ୍ଟି ଛାଡ଼ ବ୍ୟବସ୍ଥା ଅଛି । ଅବଶ୍ୟ ଆୟୋଜକଙ୍କ ଏଭଳି ଗଳାବାଟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିନି ।