ତେଜିଲା ଚୀନ-ତାଇୱାନ୍‌ ବିବାଦ

ତାଇୱାନ ଅଭିମୁଖେ ଯାଉଥିବା ମିସାଇଲ ପଡ଼ିଲା ଜାପାନରେ

ନୂଆଦିଲ୍ଲୀ: ଚୀନ ଓ ତାଇୱାନ୍‌ ଶତ୍ରୁତା ଚରମ ସ୍ତରରେ ପହଂଚିଛି । ଗୁରୁବାର ଗୋଟିଏ ପାଦ ଆଗକୁ ବଢ଼ାଇ ଚୀନ ତାଇୱାନ୍‌ ଉଦ୍ଦେଶ୍ୟରେ ୧୧ଟି କ୍ଷେପଣାସ୍ତ୍ର ଛାଡ଼ିଥିଲା; ମାତ୍ର ସେଗୁଡ଼ିକ ଭିତରୁ ପାଂଚଟି ଜାପାନ ସୀମା ଭିତରେ ପଡ଼ିଛି । ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଏକ ବିଜ୍ଞପ୍ତି ଜାରି କରି ଏ ବିଷୟ ସ୍ପଷ୍ଟ କରିଛନ୍ତି । ବୁଧବାର ଚୀନର ୨୭ଟି ଲଢୁଆ ବିମାନ ତାଇୱାନ ବାୟୁସୀମା ଭିତରକୁ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିଲା । ତାଇୱାନ ଆତ୍ମରକ୍ଷା ପାଇଁ ନିଜେ ଖଞ୍ଜିଥିବା ମିସାଇଲ ସିଷ୍ଟମକୁ କ୍ରିୟାଶୀଳ କରିଥିଲା । ରଣାଭ୍ୟାସ ଆଳରେ ଚୀନ ତାଇୱାନକୁ ବାରମ୍ବାର ଧମକାଉଛି । ଦୁଇଦେଶ ଭିତରେ ଗରମାଗରମ ବାତାବରଣ ସୃଷ୍ଟି ପଛରେ ଆମେରିକାକୁ ଦାୟୀ କରାଯାଉଛି ।

ଆମେରିକା ସଂସଦର ବାଚସ୍ପତି ନାନ୍ସୀ ପେଲୋସୀଙ୍କ ତାଇୱାନ୍‌ ଗସ୍ତକୁ ଚୀନ ସହିପାରୁନି । ଚୀନର ଏକାଧିକବାର ଧମକ ସତ୍ତେ୍ୱ ଆମେରିକାର ପ୍ରତିନିଧିମଣ୍ଡଳୀ ତାଇୱାନରେ ପଦାର୍ପଣ କରି ଚୀନକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ଅଗଷ୍ଟ ୪ ତାରିଖରୁ ଚୀନ୍‌ ଆରମ୍ଭ କରିଥିବା ରଣାଭ୍ୟାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଚୀନ ଏପରି ଭାବେ ରଣାଭ୍ୟାସ ଜାରି ରଖିଛି ଯାହା ତାଇୱାନ ଦ୍ୱୀପକୁ ଚାରିପାଖରୁ ଘେରି ରଖିଥିବା ପ୍ରତୀୟମାନ ହେଉଛି ।

ଚୀନ ପ୍ରତିରକ୍ଷା ଗବେଷକଙ୍କ ମତରେ ଏହା ପୂର୍ବରୁ ଚୀନ୍‌ କେବେ ତାଇୱାନ ବିପକ୍ଷରେ ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲା । ଯଦିଓ ଆମେରିକା ତାଇୱାନକୁ ପୂର୍ଣ୍ଣ ସୁରକ୍ଷା ଯୋଗାଇବାକୁ ରାଜି ଅଛି । ମାତ୍ର ବାସ୍ତବିକତା ଦୃଷ୍ଟିରୁ ତାଇୱାନ ଆମେରିକା ଉପରେ ଆଖିବୁଜି ବିଶ୍ୱାସ କରିପାରୁନି ।