ଘୋଷଣାରେ ରହିଗଲା ‘ଧୂମମୁକ୍ତ ଭୁବନେଶ୍ୱର’

ନବୀନବାବୁଙ୍କ ଶସ୍ତା ରାଜନୀତି…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସବାସ କରୁଥିବା ପରିବାରକୁ ସୁସ୍ଥ ବାତାବରଣ ଭିତରେ ରଖିବାର ପବିତ୍ର ଭାବନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୦ ମସିହାରେ ଏକ ପଦକ୍ଷେପ ଗ୍ରହଣ କରିଥିଲେ । ଉକ୍ତ ପଦକ୍ଷେପଟି ବିଡ଼ି ଓ ସିଗାରେଟ୍‌ ଟାଣୁଥିବା ଲୋକଙ୍କ ମୁଣ୍ଡରେ ଚଡ଼କ ପକାଇଥିଲେ ମଧ୍ୟ ଅଧିକାଂଶ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାବାସି ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଓ ଜାଭିୟର ଇନଷ୍ଟିଚ୍ୟୁଟ୍‌ ମିଳିତ ଉଦ୍ୟମରେ ପ୍ରସ୍ତୁତ ସର୍ବେକ୍ଷଣ ରିପୋର୍ଟ ଅନୁଧ୍ୟାନ କରିବା ପରେ ରାଜଧାନୀର ୨୧୬ ଛକ, ଜନଗହଳି ସ୍ଥାନ ଓ ଶିକ୍ଷାନୁଷ୍ଠାନ ନିକଟରେ ବିଡ଼ି ଓ ସିଗାରେଟ୍‌ ଟାଣିବା ପ୍ରତି କଟକଣା ଜାରି କରାଗଲା ।

ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ଗଠିତ ଟିମ୍‌ ବିଡ଼ି ଓ ସିଗାରେଟ୍‌ ଧୂଅାଁ ଛାଡୁଥିବା ଭଦ୍ରଲୋକଙ୍କଠାରୁ ଜୋରିମାନା ଆଦାୟ କରିବା ଆରମ୍ଭ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ସାଢେ଼ ତିନିଲକ୍ଷ ଟଙ୍କା ଜୋରିମାନା ରାଶି ଆଦାୟ କରାଯାଇଥିବା ବିଷୟ କମିଶନରେଟ୍‌ ପୁଲିସ ସୂତ୍ରରୁ ପ୍ରକାଶ । କିନ୍ତୁ ସରକାରଙ୍କ ଉକ୍ତ ପ୍ରୟାସ କ୍ରମେ ଥଣ୍ଡା ପଡ଼ିଗଲା । ଏବେ ଭୁବନେଶ୍ୱର ମହାନଗର ଭିତରେ ବିଡ଼ି ଓ ସିଗାରେଟ୍‌ ପ୍ରତି ଲଗାମ ନାହିଁ । ଏପରିକି ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ ନିକଟରେ ମଧ୍ୟ ଶିକ୍ଷିତ ଲୋକମାନେ ଗର୍ବର ସହ ସିଗାରେଟ୍‌ ଟାଣୁଥିବାର ଦେଖିବାକୁ ମିଳୁଛି । ଆଉ କାହା କଥା କହିବା କ’ଣ? ଆମ ପୁଲିସ ବାବୁମାନେ ମଧ୍ୟ ସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣୁଛନ୍ତି ।

ବିଡ଼ି ଓ ସିଗାରେଟ୍‌ରୁ ନିର୍ଗତ ବିଷାକ୍ତ ଧୂଅାଁ କେବଳ ଛୋଟପିଲାଙ୍କ ଶରୀର ପ୍ରତି କ୍ଷତିକାରକ ନୁହେଁ । ସବୁ ବର୍ଗର ଲୋକଙ୍କ ଜୀବନକୁ ମରଣମୁହଁକୁ ଟାଣି ନେଇଥାଏ । ଏ କଥା ଆମ ସରକାର ଭଲ ଭାବେ ଜାଣିଥିଲେ ମଧ୍ୟ ବିଜେଡିର ଯୁବପୀଢ଼ିଙ୍କ ମରଦ ପଣିଆ ପ୍ରତି ସମ୍ମାନର ପ୍ରଶ୍ନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଭୁବନେଶ୍ୱରକୁ ବିଡ଼ି ସିଗାରେଟ୍‌ ମୁକ୍ତ ଅଂଚଳ କରିବାକୁ ଚାହୁଁନାହାନ୍ତି । ଭୁବନେଶ୍ୱରରେ ବିଡ଼ି ଓ ସିଗାରେଟ୍‌ ବିକା ବନ୍ଦ ହୋଇଗଲେ, ସିଗାରେଟ୍‌ ଟାଣିବାରେ ସିଦ୍ଧହସ୍ତ ଆମ ମୁଖ୍ୟମନ୍ତ୍ରୀ ଓ ତାଙ୍କ କର୍ମୀ ମହଲ ଛଟପଟ ହେବେ । ସୂଚନାଯୋଗ୍ୟ, ଦେଶର ଅନ୍ୟ ଚାରିଟି ସହର ଯଥାକ୍ରମେ ଚଣ୍ଡିଗଡ଼, ଶିମ୍‌ଲା, କୋଟ୍ଟୟାମ ଓ ସିକ୍କିମକୁ ଧୂମମୁକ୍ତ ଅଂଚଳ ଘୋଷଣା କରାଯାଇଛି ।