‘ବନ୍ଧୁକ ବନ୍ଧୁକ ସେ ଏମିତି ବନ୍ଧୁକ’

ଆମେରିକାରେ ବନ୍ଧୁକ ସଂସ୍କୃତି ପ୍ରାୟ ୨୩୦ ବର୍ଷର । ୧୭୯୧ରେ ସମ୍ବିଧାନର ଦ୍ୱିତୀୟ ସଂଶୋଧନରେ ଆମେରିକା ନାଗରିକଙ୍କୁ ହତିଆର ରଖିବାକୁ ଓ କିଣିବାକୁ ଅଧିକାର ଦିଆଗଲା । ଆମେରିକାରେ ଇଂରେଜ ସରକାର ଶାସନ କରୁଥିବା ସମୟରେ ଜନତାଙ୍କ ଧନଜୀବନ ସୁରକ୍ଷା ପାଇଁ ସ୍ଥାୟୀ ପୁଲିସ ନିଯୁକ୍ତ ବ୍ୟବସ୍ଥା ନଥିଲା । ଲୋକମାନଙ୍କୁ ଆପଣା ଧନଜୀବନ ସୁରକ୍ଷା ପାଇଁ ବନ୍ଧୁକ ରଖିବାକୁ ଅଧିକାର ଦିଆଗଲା ଯାହା ଆଜି ମଧ୍ୟ ଆମେରିକାରେ ଜାରି ରହିଛି ।

ସାରା ବିଶ୍ୱର ଅନ୍ୟ କୌଣସି ଦେଶରେ ଏଭଳି ସଂସ୍କୃତି ନାହିଁ । ଆମେରିକାରେ ବନ୍ଧୁକ କିଣିବା ଆମ ବଜାରରେ ଫଳ କିଣିବା ସହ ସମାନ । ବନ୍ଧୁକ କିଣାବିକା ପାଇଁ ସବୁ ଗଳିକନ୍ଦିରେ ଦୋକାନ ଖୋଲିଛି । ଆମେରିକାର ବଡ଼ ବଡ଼ ମୈଦାନରେ ସାପ୍ତାହିକୀ ବନ୍ଧୁକ ପ୍ରଦର୍ଶନୀ ଆୟୋଜିତ ହୁଏ । ୱାଲମାର୍ଟ ଭଳି ବଡ଼ କଂପାନୀଠାରୁ ଆରମ୍ଭ କରି ଛୋଟ ଦୋକାନରେ ବନ୍ଧୁକ ମିଳେ ।
ଆମେରିକାର ଦିନ ମଜୁରିଆ ମଧ୍ୟ ବନ୍ଧୁକ କିଣିବାକୁ ହକଦାର । ବନ୍ଧୁକ କିଣିବା ପାଇଁ କ୍ରେତାଙ୍କ ଜନ୍ମତିଥି, ନାମ ଓ ନାଗରିକତା ପ୍ରମାଣ ଥିବା ଦରକାର ।

ନିକଟରେ ଆମେରିକାର ବାୟୋଫାୟର କମ୍ପାନୀ ତିଆରି କରିଛି ସ୍ମାର୍ଟ ଗନ୍‌ । କମ୍ପାନୀ କହିଛି ଯେ ସ୍ମାର୍ଟ ଗନ୍‌ ଅନ୍ୟ ବନ୍ଧୁକଠାରୁ ବହୁଗୁଣରେ ସୁରକ୍ଷିତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଉକ୍ତ ବନ୍ଧୁକକୁ କେହି ଚୋରି କଲେ ମଧ୍ୟ ତାକୁ ଚଲାଇ ପାରିବନି । ବନ୍ଧୁକରେ ମାଲିକଙ୍କର ମୁଖମଣ୍ଡଳ ଚିହ୍ନଟ ଓ ଟିପଚିହ୍ନ ଯାଂଚ ସେନ୍ସର ଲାଗିଛି । ଯାହା ଫଳରେ ସବୁ ଲୋକ ଉକ୍ତ ବନ୍ଧୁକକୁ ବ୍ୟବହାର କରିପାରିବେନି ।

ଆମେରିକାରେ ସ୍କୁଲ ପିଲା ବାପାମା’ଙ୍କ ବନ୍ଧୁକ ନେଇ ସାଙ୍ଗସାଥିଙ୍କୁ ଡରାଇବା ଘଟଣା ମାମୁଲି । ଏପରିକି କିଛି ପିଲା ବନ୍ଧୁକ ଚଲାଇ ସାଥିଙ୍କୁ ମାରିଥିବାର ଖବର ପ୍ରକାଶ ପାଇଛି । ତେଣୁ ସେ ଦୃଷ୍ଟିରୁ ପିଲାମାନେ ସ୍ମାର୍ଟଗନ୍‌ ଚୋରି କଲେ ମଧ୍ୟ ତାକୁ ଚଳାଇ ପାରିବେନି କି କାହାକୁ ମାରି ପାରିବେନି । ବନ୍ଧୁକଟିର ମୂଲ୍ୟ ଭାରତୀୟ ମୁଦ୍ରା ତୁଳନାରେ ୧ ଲକ୍ଷ ୨୩ ହଜାର ଟଙ୍କା ।