କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ହରସିମରତ୍ କୌରଙ୍କ ଇସ୍ତଫା

ନୂଆଦିଲ୍ଲୀ: ହରସିମରତ୍ କୌର ବାଦଲ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି। କୃଷି ସଂପର୍କିତ ବିଲକୁ ବିରୋଧ କରି ସେ ପଦ ଛାଡ଼ିଛନ୍ତି। ଏନେଇ ଟ୍ୱିଟ ଜରିଆରେ ସେ ସୂଚନା ଦେଇଛନ୍ତି।

ଲୋକସଭାରେ ଉପସ୍ଥାପିତ ହୋଇଥିବା କୃଷି ସଂପର୍କିତ ବିଲକୁ ବିରୋଧ କରି ଏହି ପଦକ୍ଷେପ ନେଇଛନ୍ତି ହରସିମରତ୍। ସେ ଶିରୋମଣୀ ଅକାଳି ଦଳ ସାଂସଦ ହୋଇଥିବା ବେଳେ ଏନଡିଏ ସରକାରରେ ମନ୍ତ୍ରୀ ଭାବେ ସାମିଲ୍ ହୋଇଥିଲେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ମୋଦି ସରକାରରେ ସାମିଲ୍ ହୋଇଥିଲେ।

ଉପସ୍ଥାପିତ କୃଷି ବିଲକୁ ଆଜି ସଂସଦରେ ବିରୋଧ କରିଥିଲେ ହରସିମରତଙ୍କ ସ୍ୱାମୀ ତଥା ଶିରୋମଣୀ ଅକାଳି ଦଳ ଅଧ୍ୟକ୍ଷ ଶୁଖବୀର ସିଂ ବାଦଲ। ପରେ ଏନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି ହରସିମରତ୍। ଟ୍ବିଟରରେ ଏନେଇ ସେ ଲେଖିଛନ୍ତି ଯେ, ମୁଁ ଏହି କୃଷକ ବିରୋଧୀ ବିଲର ବିରୋଧ କରି କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଉଛି। ଚାଷୀଙ୍କର ଝିଅ ଓ ଭଉଣୀ ଭାବରେ ମୁଁ ସେମାନଙ୍କ ସହ ଗର୍ବରେ ଛିଡ଼ା ହେଉଛି।