୨୦୨୩ରେ ଲୋକଙ୍କୁ ଘାଂଟିବ ହୃଦଘାତ

କୋଭିଡ୍‌-୧୯ ପ୍ରଥମ ଲହର ପରେ ହୃଦରୋଗୀଙ୍କ ସଂଖ୍ୟା ୧୪% ବୃଦ୍ଧି ପାଇଥିଲା…..

ନୂଆଦିଲ୍ଲୀ: ୨୦୨୦-୨୧ରେ କରୋନା କବଳରେ ପଡ଼ି ବିପୁଳ ପରିମାଣର ବୟସ୍କ ଓ ରୋଗଗ୍ରସ୍ତ ପ୍ରାଣ ହରାଇଲେ । ୨୦୨୨ରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁହାର ଦେଖି ସାଧାରଣ ଲୋକ ଚିନ୍ତାଗ୍ରସ୍ତ ଥିଲେ । ମାତ୍ର ୨୦୨୩ରେ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ଲୋକଙ୍କ ନିଦ ହଜାଇଦେବ ବୋଲି ପୂର୍ବାନୁମାନ କରାଯାଇଛି ।

ଲଣ୍ଡନସ୍ଥିତ କ୍ୱିନ୍ସ ମେରୀ ବିଶ୍ୱବିଦ୍ୟାଳୟ ରିପୋର୍ଟ ମୁତାବକ ଇଂଲଣ୍ଡରେ କୋଭିଡ୍‌ ଆରୋଗ୍ୟଙ୍କ ଭିତରୁ ରକ୍ତଜମାଟ ମାମଲା ୨୭ ଗୁଣ, ହୃତପିଣ୍ଡ ସଂକ୍ରମଣ ମାମଲା ୨୧ ଗୁଣ ଓ ହୃଦଘାତ ମାମଲା ୧୭ ଗୁଣ ଜଣାପଡ଼ିଛି । କରୋନା ପୂର୍ବରୁ ଇଂଲଣ୍ଡରେ ହୃଦରୋଗୀଙ୍କୁ ଆରୋଗ୍ୟ ପାଇଁ ଏକବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁ ନଥିଲା । କିନ୍ତୁ ୨୦୨୨ ଅଗଷ୍ଟରୁ ପ୍ରାୟ ୭ ହଜାର ହୃଦରୋଗୀ ଏ ଯାବତ୍‌ ଡାକ୍ତରଙ୍କୁ ଅପେକ୍ଷା କରି ବସିଛନ୍ତି ।

କୋଭିଡ୍‌ ପୂର୍ବରୁ ଆମେରିକାରେ ପ୍ରତିବର୍ଷ ୧.୪୩ ଲକ୍ଷ ହୃଦଘାତ ମାମଲା ନଜରକୁ ଆସୁଥିଲା । କୋଭିଡ୍‌-୧୯ ପ୍ରଥମ ଲହର ପରେ ହୃଦରୋଗୀଙ୍କ ସଂଖ୍ୟା ୧୪% ବୃଦ୍ଧି ପାଇଥିଲା । କୋଭିଡ୍‌ ଦ୍ୱିତୀୟ ଲହର ପରେ ୨୫-୪୪ ବର୍ଷ ବୟସ ଅନ୍ତର୍ଭୁକ୍ତ ଲୋକଙ୍କର ହୃଦଘାତଜନିତ ମୃତ୍ୟୁହାର ୩୦% ବୃଦ୍ଧି ପାଇଛି । ଅକ୍ସଫୋର୍ଡ ତଥ୍ୟ ମୁତାବକ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ପ୍ରତି ୧୦ ଜଣଙ୍କ ଭିତରୁ ୫ ଜଣ ହୃଦଘାତର ଶିକାର ହୋଇପାରନ୍ତି ।

ଗବେଷକଙ୍କ ମତରେ କୋଭିଡ୍‌ ମହାମାରୀର ପାଶ୍ୱର୍ ପ୍ରତିକ୍ରିୟା ଆହୁରି ମାରାତ୍ମକ । ବିଶ୍ୱ ସ୍ୱାସ୍ଥ୍ୟ ଚକ୍ର ଉପରେ ଦୃଷ୍ଟିପାତ କଲେ ଜଣାଯାଏ, ୧୯୧୮ ମସିହାରେ ସ୍ପାନିଶ୍‌ ଫ୍ଲୁ’ ପରେ ବ୍ରେନ୍‌ ଫଗ୍‌ ଓ ବାରମ୍ବାର ହାଲିଆ ଅନୁଭବ କରିବା ମାମଲା ଚିନ୍ତାଜନକ ଥିଲା । ବ୍ରେନ୍‌ ଫଗ୍‌ ଅର୍ଥାତ୍‌ ଚିନ୍ତାଗ୍ରସ୍ତ ରହିବା, ଦୃଢ଼ ମନୋବଳ ଅଭାବ ।

ସ୍ପାନିଶ୍‌ ଫ୍ଲୁ’ ପରେପରେ ୧୯୪୦ରୁ ୧୯୫୯ ଭିତରେ ହୃଦଘାତ ମାମଲା ଚିନ୍ତାଜନକ ଥିଲା । ୟୁନିଭର୍ସିଟି ଅଫ୍‌ ସଦର୍ଣ୍ଣ କାଲିଫର୍ଣ୍ଣିଆ ରିସର୍ଚ୍ଚ ଅନୁସାରେ କୋଭିଡର କୁପ୍ରଭାବ ସ୍ପାନିଶ ଫ୍ଲୁ ତୁଳନାରେ ଯଥେଷ୍ଟ ଅଧିକ ରହିବ ।