କେରଳରୁ ବିପୁଳ ବିସ୍ଫୋରକ ଜବତ

କେରଳର ପାଲକ୍କଡ ସାଉଥ୍‌ ପୁଲିସ ହାତରେ ଲାଗିଛି ….

ନୂଆଦିଲ୍ଲୀ: କେରଳର ପାଲକ୍କଡ ସାଉଥ୍‌ ପୁଲିସ ହାତରେ ଲାଗିଛି ବିପୁଳ ବିସ୍ଫୋରକ ସାମଗ୍ରୀ। ସେଗୁଡ଼ିକୁ ତରଭୁଜ ପେଟିରେ ପ୍ୟାକ୍‌ କରି ଗୋଟିଏ ମିନି-ଲରିରେ ଚୋରା ଚାଲାଣ କରାଯାଉଥିଲା। ବୁଧବାର ରାତି ପ୍ରାୟ ୯ଟାରେ ପାଲକ୍କଡ ସରକାରୀ ମେଡିକାଲ କଲେଜ ନିକଟ ୟକ୍କାରା ସର୍ଭିସ ରୋଡରେ ବିସ୍ଫୋରକ ଜବତ କରାଯାଇଛି। ଏହି ଘଟଣାରେ, ପୁଲିସ ଲରି ଡ୍ରାଇଭର ସେନ୍‌ଥିଲ କୁମାରଙ୍କୁ ଅଟକ ରଖିଛି, ଅଭିଯୁକ୍ତ ଚାଳକ ତାମିଲନାଡୁର ବାସିନ୍ଦା ବୋଲି ଜଣାପଡ଼ିଛି।

ପୁଲିସ କହିବା ଅନୁଯାୟୀ, ସାଉଥ୍‌ ଇନ୍ସପେକ୍ଟର ବିପିନ କୁମାରଙ୍କ ସୂଚନା ଆଧାରରେ ଏହି ଅପରେସନ୍‌ କରାଯାଇଥିଲା। ପୁଲିସ ସନ୍ଦେହରେ ଯାନବାହନ ଯାଂଚକୁ କଡ଼ାକଡ଼ି କରିଥିଲା। ଗୋଟିଏ ମିନି ଲରି ଯାଂଚକୁ ଏଡ଼ାଇ ଖସିଯିବାକୁ ବସିଥିଲା। ପୁଲିସ ଲରିକୁ ପିଛା କରିଥିଲା। ବେଶ କିଛି ମିନିଟ୍‌ ଚେଜିଂ ପରେ ପୁଲିସ ସଂପୃକ୍ତ ଲରିକୁ ଧରିଥିଲା। ପୁଲିସ ଲରିକୁ ଯାଂଚ୍‌ କରିବାରୁ ଲରି ତଳପାଖରେ ଶହେରୁ ଅଧିକ ବାକ୍ସ ଲୁଚାଯାଇଥିଲା, ଯାହା ତରଭୁଜରେ ପୂର୍ଣ୍ଣ ଦେଖାଯାଉଥିଲା, ଯେଉଁଥିରେ ପ୍ରାୟ ୧୮ ହଜାର ଜେଲେଟିନ୍‌ ଷ୍ଟିକ୍‌ ଏବଂ ୪ ହଜାର ୮ ଶହ ଡେଟୋନେଟର ରଖାଯାଇଥିଲା। ପୁଲିସର କହିବା ଅନୁସାରେ, ଏଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ଓ ମହଙ୍ଗା ବିସ୍ଫୋରକ। ଏଗୁଡ଼ିକ ସାଧାରଣତଃ ଖଣି ଓ ପଥର ଭାଙ୍ଗିବା କାମରେ ବ୍ୟବହୃତ ହୁଏ।

ସୁରକ୍ଷାକୁ ଧ୍ୟାନରେ ରଖି, ବିସ୍ଫୋରକଗୁଡ଼ିକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ବମ୍‌ ସ୍କ୍ୱାଡ୍‌କୁ ଘଟଣାସ୍ଥଳକୁ ଡକାଯାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଡ୍ରାଇଭର ସେନ୍‌ଥିଲ କୁମାର କହିଛି, ଏହି ବିସ୍ଫୋରକଗୁଡ଼ିକ ତାମିଲନାଡୁର ଧରାପୁରମ ଅଂଚଳ ଥୁପ୍ପୁରରୁ ଅଣାଯାଉଥିଲା ଏବଂ ଏଗୁଡ଼ିକୁ କେରଳର ତ୍ରିସୁର ଜିଲ୍ଲାକୁ ପଠାଯିବାକୁ ଥିଲା।

ତଥାପି, ପୁଲିସ ସନ୍ଦେହ କରୁଛି ଯେ ଏହା ପଛରେ ଏକ ବଡ଼ ଚୋରା ଚାଲାଣ ନେଟୱାର୍କ କାମ କରୁଛି। ତେଣୁ ଏହି ବିସ୍ଫୋରକଗୁଡ଼ିକ କାହା ପାଇଁ ଏବଂ କେଉଁ ଉଦ୍ଦେଶ୍ୟରେ ପଠାଯାଉଥିଲା ତାହା ଜାଣିବା ପାଇଁ ଡ୍ରାଇଭରଙ୍କୁ ବାରମ୍ବାର ଜେରା ଚାଲିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ।

ଗତ ବର୍ଷ ମଧ୍ୟ ପାଲକ୍କଡ ଓ କୋଏମ୍ବାଟୁର ପୁଲିସ ମିଳିତ ଭାବରେ ତାମିଲନାଡୁରୁ କେରଳକୁ ଅଣାଯାଉଥିବା ୪୦ ହଜାରରୁ ଅଧିକ ଜିଲାଟିନ୍‌ ଷ୍ଟିକ୍‌ ଓ ପ୍ରାୟ ୫ ହଜାର ଡେଟୋନେଟର ଜବତ କରିଥିଲା। ଏବେ ପୁଲିସ ଭିନ୍ନ ଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି।