ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି

ଉଠୁଛି ପଡୁଛି ରାଜରାସ୍ତାରୁ ସଂସଦ । ଘଟଣାରେ ଦିଲ୍ଲୀ ସରକାରଙ୍କୁ ସଂପୂର୍ଣ୍ଣ ଭାବେ ଦାୟୀ କରିବା ସହ ଆନ୍ଦୋଳନକୁ ତୀବ୍ର କରିଛି ବିଜେପି । ଅନ୍ୟପଟେ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି । ଆନ୍ଦୋଳନକୁ ଓହ୍ଲାଇବା ସହ ଆପ୍ ସରକାରକୁ ସିଧା ସଳଖ ନିଶାନା କରିଛି ବିଜେପି । ଦିଲ୍ଲୀ ଆମ୍‌ ଆଦମୀ ପାର୍ଟି ଅଫିସ ନିକଟରେ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ଶତାଧିକ ବିଜେପି କର୍ମୀ ଏକାଠି ହୋଇ ଥାଳି କର୍ଚୁଲି ଧରି ନିଆରା ଢଙ୍ଗରେ ପ୍ରତିବାଦ କରିବା ସହ ଆପ୍ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।

ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ଲାଗି ପାଣିମାଡ଼ କରିଛି ଦିଲ୍ଲୀ ପୋଲିସ । ଅନ୍ୟପଟେ ରାଜେନ୍ଦ୍ର ନଗର ଅଞ୍ଚଳରେ ଛାତ୍ରଛାତ୍ରୀମାନେ ମଧ୍ୟ ଧାରଣା ଜାରି ରଖିଛନ୍ତି । ଘଟଣାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏପଟେ ଏ ଘଟଣା ପରେ ଦିଲ୍ଲୀରେ ଆରମ୍ଭ ହୋଇଛି ବୁଲଡୋଜର କାର୍ୟ୍ୟାନୁଷ୍ଠାନ । ନାଳ ଉପରେ ବେଆଇନ ଭାବେ ହୋଇଥିବା ନିର୍ମାଣକୁ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ । ତେବେ ଏତେ ବିଳମ୍ବରେ ଏ କାର୍ୟ୍ୟାନୁଷ୍ଠାନର କିଛି ମୂଲ୍ୟ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟପଟେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଏବେ ଘଟଣାର ଛାନଭିନ୍ ବେଳେ ଜଣାପଡ଼ିଛି ସଂପୃକ୍ତ କୋଚିଂ ସେଣ୍ଟରର ବେସମେଣ୍ଟ କେବଳ ଷ୍ଟୋରେଜ୍ ପାଇଁ ଅନୁମତି ଥିଲା । ବେସମେଣ୍ଟରେ କୌଣସି ପ୍ରକାରର କମର୍ସିଆଲ କାର୍ୟ୍ୟକଳାପ ଲାଗି ଅନୁମତି ନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି । ଘଟଣାକୁ ନେଇ ରାଜନୀତି ବି ଥମିବାର ନାଁ ନେଉନି । ଘଟଣା ପାଇଁ କେଜରିୱାଲ ସରକାରଙ୍କୁ ବିଜେପି ସଂପୂର୍ଣ୍ଣ ଭାବେ ଦାୟୀ କରିଛି । ଏମସିଡି ଏବଂ ଦିଲ୍ଲୀର ଅନ୍ୟାନ୍ୟ ବିଭାଗ ଆପ୍ ଅଧିନରେ ଥିବା ବେଳେ କଣ ପାଇଁ ନାଳ ସଫେଇ କରାଯାଇନଥିଲା ବୋଲି ବିଜେପି ପ୍ରଶ୍ନ କରିଛି ।

ଅନ୍ୟପଟେ ଏ ଘଟଣାରେ ପ୍ରତିକ୍ରିୟା ରଖି ଆପ୍ ନେତା ସଞ୍ଜୟ ସିଂ କହିଛନ୍ତି ଦିଲ୍ଲୀରେ ଏମିତି ଅନେକ କୋଚିଂ ସେଣ୍ଟର ରହିଛି ଯେଉଁମାନେ ବିନା ଅନୁମତିରେ ବେସମେଣ୍ଟରେ କ୍ଲାସ୍ ଏବଂ ଲାଇବ୍ରେରୀ ଚଳାଉଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଭୁଲ୍ ଅଟେ । କେଉଁ ଅଧିକାରୀଙ୍କ ସହ ମିଶି ସେମାନେ ଏଭଳି କାର୍ୟ୍ୟ ଚଳାଇଥିଲେ ତାହାର ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ହେବ ।