ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଏଭଳି ଢଙ୍ଗରେ ମନ୍ତବ୍ୟ ରଖି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି, ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ପୂର୍ବ ବିଜେଡି ସରକାରର ୮୦ ପ୍ରତିଶତରୁ ଅଧିକ ଯୋଜନା ଆପଣାଇଛନ୍ତି । ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି ବୋଲି କହିଛନ୍ତି ନବୀନ । ସୁଭଦ୍ରା ଯୋଜନା ଲାଗି ୧ ଲକ୍ଷ କୋଟି ଦରକାର । ମାତ୍ର ବଜେଟରେ ଅଛି ୧୦ ହଜାର କୋଟି । ସେହିପରି ଜୁଲାଇରୁ ଲୋକେ ମାଗଣା ବିଜୁଳି ବିଲ୍ ଅପେକ୍ଷାରେ ଅଛନ୍ତି ବୋଲି କହି ନବୀନ ସମାଲୋଚନା କରିଛନ୍ତି ।
ନବୀନଙ୍କୁ ଏକାଧିକ ପ୍ରଶ୍ନ କରିବା ସହ କାଉଣ୍ଟର କରିଛି ଶାସକ ବିଜେପି । ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ସୋହେଲାରେ ଧାନ ବୋନସ୍ ଶହେ ଟଙ୍କା ଘୋଷଣା କିଏ କରିଥିଲେ ? ପିଠା ଯୋଜନା କିଏ କରିଥିଲେ ? ସେ ଜୁମଲା କୁଆଡ଼େ ଗଲା ? ବିଜୁ ଯୁବ ବାହିନୀ କାହା ଜୁମଲା ଥିଲା ? ଆମେ ନିର୍ବାଚନ ବେଳେ କହିଥିଲୁ । ନିଶ୍ଚିତ ଭାବେ ଚାଷୀଙ୍କୁ କୁଇଣ୍ଟାଲ୍ ପିଛା ୩୧ ଶହ ଟଙ୍କା ମିଳିବ ।
୨୪ ବର୍ଷ ଧରି କେନ୍ଦ୍ରର ଯୋଜନାକୁ ଜୁମଲାର ଥୋପ ଦେଇ ଶାସନ ଚଳାଇଥିଲେ । କେବଳ ନାମକରଣ କରି ପୂର୍ବରୁ ସରକାର ଚଳାଉଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେପଟେ ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ସରଗରମ ବିଧାନସଭା । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ତାରା ବାହୀନିପତି, ତାରାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ୟ୍ୟ ।