ସିନିୟର IPS ଅଫିସର ପଣ୍ଡିତ ରାଜେଶ ଉତ୍ତମରାଓ ଓରଫ୍ ରାଜେଶ ପଣ୍ଡିତ ନିଲମ୍ବିତ

ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଥିବା ରାଜେଶ ପଣ୍ଡିତଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ଗତ ଶନିବାର ଅର୍ଥାତ ଜୁଲାଇ ୨୭ ତାରିଖ ରାତିରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ନିଆଯାଇଛି ଆକ୍ସନ।

ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ, କ୍ଷମତାର ଅପବ୍ୟବହାର ଏବଂ ପଦ ମର୍ଯ୍ୟାଦାର ସମ୍ମାନହାନି ଅଭିଯୋଗ ସହ ଡିଜିପିଙ୍କ ରିପୋର୍ଟ ଆଧାରରେ ତାଙ୍କୁ ତ୍ୱରିତ ନିଲମ୍ବନ କରାଯାଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି। କେବଳ ଏତିକି ନୁହେଁ, ରାଜେଶଙ୍କୁ ଏବେ କଟକସ୍ଥିତ ପୋଲିସ୍ ହେଡ୍ କ୍ୱାର୍ଟରରେ ଅବସ୍ଥାପିତ କରାଯାଇଛି। ଡିଜିପିଙ୍କ ବିନା ଅନୁମତିରେ ସେ ହେଡକ୍ୱାର୍ଟର ଛାଡ଼ି ପାରିବେ ନାହିଁ।

ତେବେ ଶନିବାର ରାତିରେ ନିର୍ଦ୍ଦିଷ୍ଟ ଭାବେ ଏମିତି କ’ଣ ଘଟାଇଲେ ଏହି ଆଇପିଏସ୍ ଅଧିକାରୀ ? ସେନେଇ ସ୍ପଷ୍ଟ କରାଯାଇନାହିଁ। ଅପରପକ୍ଷେ ଭୁବନେଶ୍ବର ଡିସିପି କହିଛନ୍ତି, ଶନିବାର ରାତିରେ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା ପିସିଆର। ରାଜେଶ ପଣ୍ଡିତଙ୍କ ବିରୋଧରେ କିନ୍ତୁ ଥାନାରେ ଏଯାଏଁ ଲିଖିତ ଅଭିଯୋଗ ଆସିନାହିଁ। ରିପୋର୍ଟ ଆସିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।