କୋଉ ପୁରାଣରେ ପୁଅଝିଅ ଏକାଠି ବସିବା ମନା

ସଂସ୍କୃତି, ଅପସଂସ୍କୃତି ତରାଜୁରେ ପୁଅଝିଅ

ନୂଆଦିଲ୍ଲୀ: କେରଳ ମନ୍ତ୍ରୀ ବେଲାପଲୀ ନେଟ୍‌ସନ୍‌ଙ୍କ ମନ୍ତବ୍ୟକୁ ଓଡ଼ିଶାର ବହୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ନେଟ୍‌ସନ୍‌ କହିଛନ୍ତି, ଭାରତୀୟ ସଂସ୍କୃତିରେ ପୁଅଝିଅ ବିଦ୍ୟାଳୟରେ ପାଖାପାଖି ବସିବା ଓ ଆଲିଙ୍ଗନ କରିବା ଗ୍ରହଣୀୟ ନୁହେଁ । ସେଗୁଡ଼ିକ ପାଶ୍ଚାତ୍ୟ ସଂସ୍କୃତି । ଆମର ନିଜସ୍ୱ ସଂସ୍କୃତିକୁ ଛାଡ଼ି ପାଶ୍ଚାତ୍ୟ ସଂସ୍କୃତିକୁ ଆଦରି ପାରିବୁନି । ଆମେରିକା ଓ ଇଂଲଣ୍ଡରେ ପୁଅଝିଅ ଅବାଧ ମିଳାମିଶା କରିବା ଫଳରେ ସେଠାକାର ସାମାଜିକ ପରିବେଶ ଦିନକୁ ଦିନ କଳୁଷିତ ଆଡ଼କୁ ଗତି କରୁଛି । ପୁଅଝିଅମାନେ ଏକାଠି ବସିବା ଫଳରେ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି; ନାନା ପ୍ରକାର ବିଶୃଙ୍ଖଳା ପରିସ୍ଥିତିକୁ ସ୍ୱାଗତ କରନ୍ତି । ତେଣୁ କେରଳର ବାମପନ୍ଥୀ ସରକାର ସେଠାକାର ବିଦ୍ୟାଳୟରେ ଡ୍ରେସ କୋଡ୍‌ ଜାରି କରିଛନ୍ତି ଯାହା ଉଭୟ ପୁଅଝିଅଙ୍କ ପାଇଁ ଲାଗୁ ହୋଇଛି ।

ଡ୍ରିମ୍ସ କଲେଜରେ ଜଣେ ଅଧ୍ୟାପକ କହିଛନ୍ତି, ପୁଅଝିଅ ଏକାଠି ବସିବା ଓ ଆଲିଙ୍ଗନ ଅପସଂସ୍କୃତିକୁ ଡାକିଆଣେନା । ଭାରତର ବହୁ ପୁରାଣ ଓ ଶାସ୍ତ୍ରରେ ବହୁ ପ୍ରେମ କାହାଣୀ ରହିଛି । ସେଗୁଡ଼ିକ ନିକଟରେ ଆଜିର ପୁଅଝିଅ ମିଳାମିଶା କିଛି ନୁହେଁ । ଜୟଦେବ କଲେଜର ଜଣେ ଅଧ୍ୟାପିକା କହିଛନ୍ତି, ସ୍କୁଲ, କଲେଜରେ ପୁଅଝିଅମାନେ ଅତି ନିକଟରୁ ପରସ୍ପରକୁ ଜାଣିବାକୁ ଚେଷ୍ଟା କରନ୍ତି । ଫଳରେ ଅବାଟକୁ ଗୋଡ଼ ଖସିବା ପୂର୍ବରୁ ଶହେଥର ଭାବନ୍ତି । ମାତ୍ର ପୁଅଝିଅମାନେ ଭିନ୍ନ ସ୍କୁଲରେ ପଢ଼ିବା ଫଳରେ ପରସ୍ପର ପ୍ରତି ବେଶି ଆକର୍ଷିତ ହୋଇ ଅବାଟକୁ ଚାଲିଯିବାର ଆଶଙ୍କା ଥାଏ । ଏମିତି ନାନା ମତ ଓ ମନ୍ତବ୍ୟକୁ ଅନୁଧ୍ୟାନ କରିବା ପରେ ମୋ ମନକୁ ଦେବଗୁରୁ ବୃହସ୍ପତିଙ୍କ ପୁଅ କଚ ଓ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀଙ୍କ କଥା ମନେ ପଡ଼ିଗଲା । କଚ-ଦେବଯାନୀଙ୍କ ବିଷୟ ପାଶ୍ଚାତ୍ୟ ପୁରାଣ କି ଶାସ୍ତ୍ରରେ ନାହିଁ । ଏତେ ଗଭୀରକୁ ଯିବା ଦରକାର ନାହିଁ । ମହାଭାରତ ରଚୟିତା ବ୍ୟାସଦେବ କୋଉ ପୁରାଣ ପ୍ରତି ଉଦ୍‌ବୁଦ୍ଧ ହୋଇ ମା’ ସତ୍ୟବତୀଙ୍କ ପରାମର୍ଶକୁ ମାନି ନେଇ ଦୁଇଟି ଭାଇବୋହୂଙ୍କ ସହିତ ମିଳିତ ହେଲେ ।

ଶ୍ରୀରାଧାଙ୍କ ବିନା ଶ୍ରୀକୃଷ୍ଣ ଅଧା । ଶ୍ରୀରାଧା ଓ ଶ୍ରୀକୃଷ୍ଣ ମଧ୍ୟରେ ସମ୍ପର୍କ କାହାକୁ ଅଛପା ନାହିଁ । ସଂକ୍ଷେପରେ କହିଲେ, ଯେଉଁ ସବୁ ପୁରାଣକୁ ନେଇ ଭାରତୀୟ ସଂସ୍କୃତି ସମୃଦ୍ଧ । ତା’ର ପ୍ରତିଟି ପୃଷ୍ଠାରେ ଏମିତି ବହୁ ଉପାଖ୍ୟାନ ରହିଛି ଯାହାକୁ ଆଜିର ନ୍ୟାୟାଳୟ ପରକୀୟାପ୍ରୀତି, ବେଆଇନ, ବ୍ୟଭିଚାର, ସ୍ୱେଚ୍ଛାଚାର ଦର୍ଶାଇ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରୁଛନ୍ତି । ତେଣୁ ସଂସ୍କୃତି ଓ ଅପସଂସ୍କୃତିର ମିଛ ସରହଦ ଟାଣି ଆମେ ଆମର ଚିନ୍ତାଧାରାକୁ ଏତେ ନିମ୍ନମାନର ଜଣାଇବା ଅନୁଚିତ ।