ଲଙ୍ଗଳା ଫକୀର ହାତରେ ଛୁରୀ!

ଜେଲ କର୍ମଚାରୀଙ୍କ ଜାଣତରେ ଆକ୍ରମଣ

ଭୁବନେଶ୍ୱର: କୋର୍ଟଚାଲାଣ ପରେ ବିଚାରପତିଙ୍କ ନିର୍ଦ୍ଦେଶ ମୁତାବକ ବିଚାରାଧୀନ କୈଦୀଙ୍କୁ ଜେଲକୁ ପଠାଇ ଦିଆଯାଏ । ଜେଲ ଭିତରକୁ ନବା ପୂର୍ବରୁ ପୁଲିସ କର୍ମଚାରୀମାନେ ବିଚାରାଧୀନ କୈଦୀଙ୍କୁ ସଂପୂର୍ଣ୍ଣ ଲଙ୍ଗଳା କରି ତନ୍ନତନ୍ନ ଯାଂଚ କରିଥାନ୍ତି । ସାଙ୍ଗରେ ନେଇଥିବା ପୁଟୁଳିକୁ ମଧ୍ୟ ଯାଂଚ କରନ୍ତି । ଏତେସବୁ ଯାଂଚ ପରେ କୈଦୀଙ୍କୁ ଜେଲ ଭିତରକୁ ନିଆଯାଏ । ତା’ପରେ ବି ଜେଲ ଭିତରେ କୈଦୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରାଯାଉଥିବା ଖବର ଗଣମାଧ୍ୟମକୁ ମଣ୍ଡନ କରୁଛି । କିଛି ବୁଝାପଡୁନି ।

ଜେଲ କର୍ମଚାରୀଙ୍କ ବିନା ଜାଣତରେ ଏପରି ଘଟଣା ଘଟୁ ନଥିବ । ଯଦି ଘଟୁୁଚି, ତେବେ କେଉଁ ମାନବିକ ଅଧିକାରକୁ ସମ୍ମାନ ଜଣାଇ ଜେଲ ଭିତରକୁ ନେବା ପୂର୍ବରୁ ପୁଲିସ ଅଭିଯୁକ୍ତଙ୍କୁ ସଂପୂର୍ଣ୍ଣ ଲଙ୍ଗଳା କରନ୍ତି । କୌଣସି ବ୍ୟକ୍ତିକୁ ଜୋରଜବରଦସ୍ତ ଉଲଗ୍ନ କରିବା ବେଆଇନ କାମ ନୁହେଁ କି? ଜେଲ ଭିତରେ ରହୁଥିବା ସବୁ ଅଭିଯୁକ୍ତ ଯେ ଆଇନ ଦୃଷ୍ଟିରେ ଅପରାଧୀ; ତା’ର କିଛି ପ୍ରମାଣ ଅଛି ଛି? ବହୁ ବିଚାରାଧୀନ କୈଦୀ ତଥ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବାର ଉଦାହରଣ ରହିଛି ।

‘ଖଜୁରୀ ଗଛର କି ଗୁଣ ଗାଇବି’ ନ୍ୟାୟରେ ଜେଲ କର୍ମଚାରୀଙ୍କ ବେପରୁଆ ନଚେତ୍‌ ଟଙ୍କାଖିଆ ଗୁଣ ଯୋଗୁ ବିଚାରାଧୀନ କୈଦୀ ଆକ୍ରମଣର ଶିକାର ହେଉଛନ୍ତି । ପୁରୀ ସ୍ୱର୍ଗଦ୍ୱାର ଅଂଚଳରେ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କୁଖ୍ୟାତ ଅପରାଧୀ ବୀରେନ୍ଦ୍ରନାଥ ବରାଳ ଓରଫ ପପୁକୁ ଗିରଫ କଲା । ସୋମବାର ପପୁର ବେକକୁ ଜଣେ ଅନ୍ତେବାସୀ ଛୁରୀରେ କାଟିଦେଇଥିବା ଜଣାପଡ଼ିଛି । ଏବେ ଡାକ୍ତରଖାନାରେ ପପୁର ଚିକିତ୍ସା ଚାଲିଛି । ଜେଲ କର୍ମଚାରୀମାନେ ଏ ବିଷୟରେ ପାଟି ଖୋଲୁନାହାନ୍ତି । ୟା’ ଭିତରେ କିଛି ଗୋପନୀୟ ଘଟଣା ଲୁଚି ରହିଥିବାର ଗନ୍ଧ ବାରିହେଉଛି । ସମସ୍ତଙ୍କ ଉପରେ ସନ୍ଦେହ କରିବା ଗୁଣଟା କେବଳ ପୁଲିସ କର୍ମଚାରୀଙ୍କ ପାଖରେ ଖୁନ୍ଦି ହୋଇ ରହିନାହିଁ । ସବୁ ଲୋକଙ୍କ ଭିତରେ ସେହି ଗୁଣଟା ରହିଛି । ମାତ୍ର ସନ୍ଦେହରେ କୌଣସି ବ୍ୟକ୍ତିକୁ ଧରି ତାକୁ ବେଶ କିଛି ସମୟ ଜେରା କରିବାର ଅଧିକାର କେବଳ ପୁଲିସର ରହିଛି । କଥା ଉଠୁଛି, ଜେଲ ଭିତରେ ପପୁର ଉତ୍ପାତକୁ ଜେଲ୍‌ କର୍ମଚାରୀମାନେ ବରଦାସ୍ତ କରି ନଥିବେ; ସେଥିପାଇଁ କୌଣସି ଆସାମୀ ହାତରେ ଛୁରି ଧରାଇ ପପୁକୁ ପାନେ ଦେଇଥିବେ ଓ ଆକ୍ରମଣକାରୀକୁ ସୁରକ୍ଷା ଦେବାକୁ ପାଟି ଖୋଲୁ ନଥିବେ । ମାନେ କଂଟାକୁ କଂଟାରେ କଢ଼ାଯାଇଛି; ଏ ପାଠ ପୁଲିସକୁ ବେଶ ଭଲ ଭାବରେ ମାଲୁମ । ଆପଣ କ’ଣ ଭାବୁଛନ୍ତି? ପୁଲିସ ଯାହା କରିଛି; ଭଲ କରିଛି । ଆଇନ ବିଶାରଦମାନେ ଏ କଥାର ମରମ ଜାଣନ୍ତି ।