୩୦୦ ଚୀନ ସୈନିକଙ୍କୁ ଘଉଡ଼ାଇଲା ଭାରତ

ଉଭୟ ପକ୍ଷରୁ କମାଣ୍ଡରସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି….

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଭାରତ-ଚୀନସେନା ମଧ୍ୟରେ ହାତାହାତି ଚାଲିଥିବାର ସୂଚନା ମିଳିଛି । ଉଭୟ ପକ୍ଷର ସେନା ଖଣ୍ଡିଆ ଖାବରା ହୋଇଥିବାର ଜଣାପଡ଼ିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ମୁତାବକ ଘଟଣା ଡିସେମ୍ବର ୯ ତାରିଖର । ଅରୁଣାଚଳ ପ୍ରଦେଶର ତବାଙ୍ଗ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ ସୀମାନ୍ତରେ ବିବାଦର ସୂତ୍ରପାତ ଘଟିଥିଲା । ଚୀନସେନା ତବାଙ୍ଗ ଅନ୍ତର୍ଗତ ସୀମା ନିୟନ୍ତ୍ରଣ ରେଖା ନିକଟରେ ପହଂଚିବାକୁ ଉଦ୍ୟମ କରୁଥିଲା ।

ଫଳରେ ସେଠାରେ ମୁତୟନ ଭାରତୀୟ ଯବାନମାନେ ତୀବ୍ର ପ୍ରତିବାଦ କରିଥିଲେ । କଥା କଟାକଟି, ଯୁକ୍ତିତର୍କ, ହାତାହାତି, ଠେଲାପେଲା ପରେ ମୁଥ ମରାମରି ଯାଏ କଥା ଯାଇଥିଲା । ମାତ୍ର ଉଭୟ ପକ୍ଷରୁ ଗୁଳିଗୋଳା ଫୁଟି ନଥିଲା । ଭାରତୀୟ ସେନା ଚୀନ୍‌ସେନାକୁ ସୀମା ନିୟନ୍ତ୍ରଣ ରେଖା ନିକଟରୁ ଘଉଡ଼ାଇ ଦେଇଥିବା ସୂଚନା ମିଳିଛି । ଉଭୟ ପକ୍ଷରୁ କମାଣ୍ଡରସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି । ଏଠାରେ ଜଣାଇ ଦେଉଛୁ କି, ତବାଙ୍ଗ ଇଲାକାର କେତେକ ଅଂଚଳ ଉପରେ ଚୀନ୍‌ ତା’ର ସାର୍ବଭୌମତ୍ୱ ଦାବି କରୁଛି । ଉଭୟ ଦେଶର ସେନା ସୀମା ନିୟନ୍ତ୍ରଣ ରେଖା ନିକଟରେ ପଇଁତରା ମାରୁଛନ୍ତି ।