ଗୁଜୁରାଟ: କ୍ରମାଗତ ୨ୟ ବାର ମୁଖ୍ୟମନ୍ତ୍ରୀ ହେଲେ ଭୁପେନ୍ଦ୍ର ପଟେଲ

ଗାନ୍ଧୀନଗର: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୬୨ ବର୍ଷୀୟ ଭୁପେନ୍ଦ୍ର ପଟେଲ । ତାଙ୍କ ସହିତ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୧୬ ଜଣ ବିଧାୟକ । ସୋମବାର ଦିନ ପ୍ରାୟ ଦୁଇଟାରେ ଗାନ୍ଧୀନଗର ସଚିବାଳୟସ୍ଥିତ ହେଲିପ୍ୟାଡ୍‌ ପଡ଼ିଆରେ ମହାମାନ୍ୟ ରାଜ୍ୟପାଳ ଭୁପେନ୍ଦ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କ ଭିତରୁ ୮ ଜଣଙ୍କୁ କ୍ୟାବିନେଟ୍‌, ଦୁଇ ଜଣଙ୍କୁ ସ୍ୱତନ୍ତ୍ର ଓ ୬ ଜଣଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟା ମିଳିଛି ।

ଶପଥ ସମାରୋହକୁ ଆମନ୍ତ୍ରିତ ଅତିଥିଙ୍କ ଭିତରେ ଥିଲେ ସର୍ବଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଜେପି ଶାସିତ ମୁଖ୍ୟମନ୍ତ୍ରୀଗଣ । ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଂଚ ଉପରେ ନତମସ୍ତକ ହୋଇ ସମବେତ ଜନତାଙ୍କୁ ଅଭିବାଦନ ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଭେଟି କଥା ହୋଇଥିଲେ ।

ଗୁଜରାଟର ଅଷ୍ଟାଦଶତମ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ହେଉଛନ୍ତି ପଟିଦାର ସମୁଦାୟର ଏକମାତ୍ର ନେତା ଯେ କ୍ରମାଗତ ଦ୍ୱିତୀୟ ବାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୫ ମାସ ପୂର୍ବରୁ ସେ ବିଜୟ ରୁପାଣୀଙ୍କଠାରୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଭୂପେନ୍ଦ୍ରଙ୍କ କ୍ୟାବିନେଟ୍‌ରେ ହାର୍ଦ୍ଦିକ ପଟେଲଙ୍କୁ ସାମିଲ କରାଯାଇନି । ତେବେ ଏ ବିଷୟରେ ଆଜି ସକାଳେ ହାର୍ଦ୍ଦିକ କହିଥିଲେ ଯେ ଦଳର ହାଇକମାଣ୍ଡ ଯାହା ନିଷ୍ପତି ନେବେ, ସେ ଅବଶ୍ୟ ପାଳନ କରିବେ ।