ନୂଆଦିଲ୍ଲୀ : ଭାରତୀୟ ସେନା ଆମେରିକା ଠାରୁ ଘାତକ ପ୍ରିଡେଟର ଡ୍ରୋନ କିଣିବାକୁ ଯାଉଛି । ଆମେରିକା ଠାରୁ ପ୍ରାୟ ୩୦ଟି ପ୍ରିଡେଟର ଡ୍ରୋନ କିଣାଯିବ ଓ ଏଥିପାଇଁ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଘାତକ ପ୍ରିଡେଟର ଡ୍ରୋନ କିଣିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରାଳୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଯଦି ଏହି ବୈଠକରେ ମଞ୍ଜୁରୀ ମିଳିଯାଏ ତେବେ ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧିଗ୍ରହଣ ପରିଷଦକୁ ପଠାଯିବ ସହ ଏହାକୁ କ୍ୟାବିନେଟ କମିଟିକୁ ଅନ୍ତିମ ମଞ୍ଜୁରୀ ପାଇଁ ପଠାଯିବ ।
ଏହି ଘାତକ ଡ୍ରୋନ ଶତ୍ରୁ ପକ୍ଷର ଯେକୌଣସି ପ୍ଲାନକୁ ଫେଲ କରିବାରେ ସକ୍ଷମ ହେବ । ଏହା ଅନେକ ଦୂରରୁ ଚିହ୍ନଟ କରି ସଠିକ୍ ଭାବେ ଆକ୍ରମଣ କରିପାରିବାର କ୍ଷମତା ରହିଛି । କ୍ୟାବିନେଟ୍ ମଞ୍ଜୁରୀ ପରେ ଭାରତୀୟ ସ୍ଥଳ ସେନା, ଜଳ ସେନା ଏବଂ ବାୟୁ ସେନା ପ୍ରତ୍ୟେକଙ୍କୁ ୧୦ଟି ଲେଖାଏଁ ଏହି ଡ୍ରୋନ ପ୍ରଦାନ କରାଯିବ । ତେବେ ଏହି ପ୍ରିଡେଟର ଡ୍ରୋନ କିଣିବା ପରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ ।