ଫୋଗଟଙ୍କ ନେତୃତ୍ୱରେ ଦୋହଲିଲା ଭାରତୀୟ କୁସ୍ତି ମହାସଂଘ

ବିନେଶ ଫୋଗଟ୍‌ କହିଛନ୍ତି, ଆମ ପାଇଁ ପ୍ରତିଟି ମିନିଟ୍‌ ମୂଲ୍ୟବାନ…

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଦେଶର ମହିଳା ପହିଲିମାନଙ୍କ ଆନ୍ଦୋଳନ ଜୋରଦାର ହୋଇଛି । ପୀଡ଼ିତ ମହିଳା କ୍ରୀଡ଼ାବିତଙ୍କ ସହିତ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପ୍ରାୟ ଏକଘଂଟା କାଳ ଆଲୋଚନା କରିଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତି ଅଟକି ରହିଗଲା ।

କ୍ରୀଡ଼ା ମନ୍ତ୍ରଣାଳୟ ଅଧିକାରୀଙ୍କ ବକ୍ତବ୍ୟରେ ମହିଳା କ୍ରୀଡ଼ାବିତ ଅସହିଷ୍ଣୁ ହୋଇଛନ୍ତି । ମହିଳା କୁସ୍ତିଯୋଦ୍ଧା ପ୍ରଥମେ ମହାସଂଘ ଶରଣ ସିଂହଙ୍କ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦାବି କରୁଥିଲେ । କିନ୍ତୁ ପରେ ସେମାନେ କୁସ୍ତି ମହାସଂଘକୁ ଭାଙ୍ଗିଦେବା ପାଇଁ ଜିଦ କରୁଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିକ୍ଷୋଭ ଚାଲୁ ରଖିବାକୁ ବିନେଶ ଫୋଗଟ୍‌ କହିଛନ୍ତି ।

ସୂଚନା ମୁତାବକ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂହ ଓ ଆଉ କିଛି ପ୍ରଶିକ୍ଷକଙ୍କ ବିରୋଧରେ ଅଲିମ୍ପିକ୍‌ ବିଜେତା କ୍ରୀଡ଼ାବିତମାନେ ଯୌନଶୋଷଣ ଅଭିଯୋଗ କରିଥିଲେ । ୧୮ ଜାନୁଆରୀ (ବୁଧବାର) ଠାରୁ ଦିଲ୍ଲୀ ଜନ୍ତର ମନ୍ତର ମଇଦାନରେ ୨୦୦ରୁ ଅଧିକ କ୍ରୀଡ଼ାବିତ ଧାରଣାରେ ବସିଛନ୍ତି ।

ମହିଳା କ୍ରୀଡ଼ାବିତଙ୍କ ଗର୍ଜନ କାନରେ ପଡ଼ିବା କ୍ଷଣି କ୍ରୀଡ଼ା ମନ୍ତ୍ରଣାଳୟ ସଜାଗ ହୋଇଗଲା । ବୁଧବାର ଦିନ ବିଳମ୍ବିତ ରାତିରେ କ୍ରୀଡ଼ା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ନୋଟିସ୍‌ ପଠାଇ ୭୨ ଘଂଟା ଭିତରେ କୈଫିୟତ ତଲବ କରିଥିଲା । କ୍ରୀଡ଼ା ମନ୍ତ୍ରଣାଳୟ ସହିତ ଆଲୋଚନା ଶେଷ କରିବା ପରେ ଧାରଣାରତ କ୍ରୀଡ଼ାବିତ ମିଡିଆକୁ ସାକ୍ଷାତକାର ଦେଇଛନ୍ତି ।

ବିନେଶ ଫୋଗଟ୍‌ କହିଛନ୍ତି, ଆମ ପାଇଁ ପ୍ରତିଟି ମିନିଟ୍‌ ମୂଲ୍ୟବାନ । ବୈଠକରେ ଆମକୁ ସନ୍ତୋଷଜନକ ଉତର ମିଳିଲାନି । ଆମ ଅଭିଯୋଗ ସଂପୂର୍ଣ୍ଣ ସତ । ସମସ୍ତଙ୍କ ଆଗକୁ ଯିବା ପାଇଁ ଆମକୁ ବାଧ୍ୟ କରା ନଯାଉ । ଆମେ ଆମର ସମ୍ମାନ ରକ୍ଷା ପାଇଁ ଲଢୁଛୁ । ଦେଶରେ ଝିଅମାନଙ୍କ ପ୍ରତି କିଭଳି ଆଚରଣ ପ୍ରଦର୍ଶନ କରାଯାଉଛି, ତାହା ଆମେ ସାରାଦେଶକୁ ଜଣାଇବାକୁ ଚାହୁଁନା ।

ଯେଉଁଦିନ ସବୁ ମହିଳା କ୍ରୀଡ଼ାବିତ ମିଡିଆ ଆଗକୁ ଯିବେ, ସେଦିନଟି ଭାରତର କୁସ୍ତି ଦୁନିଆ କଳଙ୍କିତ ହୋଇ ରହିଯିବ । ପୁରୁଷ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି, ଦେଶର ସବୁ କ୍ରୀଡ଼ାବିତ ଆମ ସହିତ ଅଛନ୍ତି । ଆମକୁ ନ୍ୟାୟ ମିଳିବା ଦରକାର । ତା’ ନହେଲେ ଭାରତରେ କ୍ରୀଡ଼ାର ବିକାଶ ସମାଧି ନେବ ।