ସଚିନଙ୍କୁ କରୋନା ସହ ତୁଳନା କଲେ ମୁଖ୍ୟମନ୍ତ୍ରୀ ଗେହଲଟ୍‌

ବହୁତ ଖରାପ ସମୟ ଭୋଗିବାକୁ ପଡ଼ିଲା…..

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଓ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ପୁଣି ଶୀତଳ ଯୁଦ୍ଧ ଦେଖିବାକୁ ମିଳିଛି । ରାଜସ୍ଥାନ ବିଧାନସଭାରେ ବଜେଟ୍‌ ଆଗତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲଟ୍‌ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଥିବାର ଏକ ଭିଡିଓ ପଦାକୁ ଆସିଛି । ଉକ୍ତ ଭିଡିଓରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ସଚିନଙ୍କ ନାମ ନନେଇ ରାଜ୍ୟ ରାଜନୀତିରେ ସଂକଟ ବିଷୟ ଉଠାଇ କରୋନା ସହିତ ପାଇଲଟ୍‌ଙ୍କୁ ତୁଳନା କରିଛନ୍ତି ।

ବୁଧବାର ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଭେଟି ନଥିବା କଥା କର୍ମଚାରୀ ନେତା ଶମଶେର ଭାଲୁ ମିଡିଆ ଆଗରେ କହିଥିଲେ । କିନ୍ତୁ ଖୋଦ ଗେହଲଟ୍‌ ମଝିରେ କଥା କାଟି ମିଡ଼ିଆକୁ କହିଲେ, ଆପଣମାନେ ଠିକ କହିଛନ୍ତି । ମୁଁ ଭାଲୁଙ୍କୁ ଭେଟିଛି । ଗତ ସୋମବାର ଆମର ଭେଟ ହୋଇଥିଲା । କଥା କ’ଣ କି ପ୍ରଥମେ କରୋନା ଆସିଲା । ତା’ପରେ ଆଉ ଗୋଟିଏ ବଡ଼ କରୋନା ଆମ ଦଳ ଭିତରକୁ ପଶିଆସିଲା ।

କେବେ ଉପନିର୍ବାଚନ, କେବେ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ନିର୍ବାଚନରେ ଭୋଟ କୁଆଡେ଼ ପଡ଼ିଲା, କ’ଣ ହେଲା? କିଛି ହିସାବ ମିଳିଲାନି । ବହୁତ ଖରାପ ସମୟ ଭୋଗିବାକୁ ପଡ଼ିଲା । ତା’ ସତ୍ୱେ ଆପଣମାନଙ୍କ ଅକୁଣ୍ଠ ସହଯୋଗ, ଆଶୀର୍ବାଦ, ସମର୍ଥନ ଓ ସ୍ନେହ କାରଣରୁ ସେସବୁ ବିପଦକୁ ସାହସର ସହ ଅତିକ୍ରମ କରିପାରିଛୁ । ଆମ ବଜେଟ୍‌ କଲ୍ୟାଣକାରୀ ଥିବାରୁ ଆମେ ଏକ ସୁସ୍ଥ ବାତାବରଣରେ ବସି ଆଲୋଚନା କରୁଛେ ।

ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ସମାଲୋଚନା କରିବାର କୌଣସି ବାଟକୁ ଛାଡ଼ିନାହାନ୍ତି ସଚିନ୍‌ ପାଇଲଟ୍‌ । ବିଧାନସଭାରେ ବଜେଟ୍‌ ଉପସ୍ଥାପନ ପୂର୍ବରୁ ତା’ର ନକଲ ସାଧାରଣ ଜନତାଙ୍କ ନିକଟରେ କେମିତି ପହଂଚିଲା, ସେ ବିଷୟ ଉଠାଇ ଉପ-ମୁଖ୍ୟମନ୍ତ୍ରୀ ପାଇଲଟ୍‌ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ବିଭିନ୍ନ ଜନସଭାରେ ଉଦ୍‌ବୋଧନ ଦେବାକୁ ଯାଇ ପାଇଲଟ୍‌ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ।