ନୂଆଦିଲ୍ଲୀ: ଭାରତୀୟଙ୍କ ସୁନା ମୋହ କେଉଁ କାଳରୁ ରହିଆସିଛି। ଘରେ ବଡ ଆକାରରେ ସୁନା ଗହଣା ଆଉ ମୁଦ୍ରା ଜମା କରିଛନ୍ତି ଏମାନେ। ଉଚ୍ଚଦର ଯୋଗୁ ଏବେ ଭାରତୀୟ ପରିବାରରେ ଥିବା ମୋଟ ସୁନାର ମୂଲ୍ୟ ୫ ଟ୍ରିଲିୟନ ଡଲାର ପାର୍ କରିଯାଇଛି। ଭାରତୀୟ ମୁଦ୍ରାରେ ଏହା ୪୫୦ ଲକ୍ଷ କୋଟି ଟଙ୍କା ଉପରେ। ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ଠାରୁ ଅଧିକ। ଦେଶର ଜିଡିପି ୪.୧ ଟ୍ରିଲିୟନ ଡଲାର ବା ୩୭୦ ଲକ୍ଷ କୋଟି ଟଙ୍କା।
ସୁନା ଦର ରେକର୍ଡ ଉଚ୍ଚସ୍ତରରେ ପହଂଚି ଯାଇଥିବାରୁ ଭାରତୀୟଙ୍କ ଘରେ ଥିବା ସୁନା ମୂଲ୍ୟ ବି ବଡ ଆକାରରେ ବଢ଼ିଯାଇଛି। ୫ ଟ୍ରିଲିୟନ ଡଲାର ଜିଡିପି ଲକ୍ଷ୍ୟ ପୂରଣ ହୋଇନାହିଁ କିନ୍ତୁ ଭାରତୀୟ ଘରେ ଥିବା ସୁନା ଏହି ଟାର୍ଗେଟ ପାର୍ କରିଯାଇଛି। ମୋର୍ଗାନ ଷ୍ଟେନ୍ଲି ରିପୋର୍ଟ ଅନୁସାରେ, ଭାରତୀୟ ଘରେ ପ୍ରାୟ ୩୪,୬୦୦ ଟନ୍ ସୁନା ମହଜୁଦ ଅଛି। ଏବେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ପାଖାପାଖି ୧.୩୮ ଲକ୍ଷ ଟଙ୍କା ରହିଛି। ସେହି ହିସାବରେ ୩୬,୬୦୦ ଟନ୍ ସୁନା ମୂଲ୍ୟ ୫ ଟ୍ରିଲିୟନ ଡଲାର ବା ୪୫୦ ଲକ୍ଷ କୋଟି ଟଙ୍କା ହେବ। ଅନ୍ତର୍ଜାତୀୟ ବଜାରରେ ଆଉନ୍ସ (ପ୍ରାୟ ୨୮ ଗ୍ରାମ) ପିଛା ସୁନା ଦାମ ପାଖାପାଖି ୪,୫୦୦ ଡଲାର ରହିଛି। ଏହାକୁ ଟଙ୍କାରେ ବଦଳା ଗଲେ ୧୦ ଗ୍ରାମ ପିଛା ଏହି ଧାତୁର ଦାମ ହେବ ୧.୩୦ ଲକ୍ଷ ଟଙ୍କା। ବିଶେଷଜ୍ଞଙ୍କ କହିବାନୁସାରେ, ଭାରତୀୟ ଅର୍ଥବ୍ୟବସ୍ଥାରେ ସୁନାର ସ୍ୱତନ୍ତ୍ର ସ୍ଥାନ ରହିଛି। ଇନ୍ଫୋମେରିକ୍ସ ଭାଲ୍ୟୁଏସନ୍ ଏଣ୍ଡ୍ ରେଟିଙ୍ଗ୍ସର ମୁଖ୍ୟ ଅର୍ଥନୀତିଜ୍ଞ ଡ. ମନୋରଞ୍ଜନ ଶର୍ମାଙ୍କ ମୁତାବକ, ଭାରତୀୟ ରଖିଥିବା ସୁନା ସହ ଜିଡିପିର ତୁଳନା ଅତ୍ୟନ୍ତ ମଜାଦାର। ସେ କହିଲେ, ଏହି ଅଙ୍କ ଭାରତୀୟ ଅର୍ଥ ବ୍ୟବସ୍ଥାରେ ହଳିଦିଆ ଧାତୁର ସାଂସ୍କୃତିକ, ବିତୀୟ ଏବଂ ମନୋବିଜ୍ଞାନି ମହତ୍ୱକୁ ଦର୍ଶାଇଥାଏ। ସାଧାରଣତଃ ଯେତେବେଳେ କୌଣସି ସମ୍ପତିର ମୂଲ୍ୟ ବଢ଼ିଥାଏ, ସେତେବେଳେ ଲୋକେ ନିଜକୁ ଧନୀ ଅନୁଭବ କରନ୍ତି ଏବଂ ଅଧିକ ଖର୍ଚ୍ଚ କରନ୍ତି। ଏହାକୁ ୱେଲ୍ଥ ଇଫେକ୍ଟ ବା ଧନର ପ୍ରଭାବ କୁହାଯାଏ। କିନ୍ତୁ ଏମ୍କେ ଗ୍ଲୋବାଲର ଏକ ରିପୋର୍ଟ ଅନୁସାରେ, ଭାରତରେ ୭୫ରୁ ୮୦% ସୁନା ଗହଣା ଆକାରରେ ଅଛି। ଲୋକେ ଏହାକୁ ଦୀର୍ଘକାଳୀନ ସଂଚୟ ଏବଂ ପରମ୍ପରା ଭାବେ ଦେଖନ୍ତି।