ନୂଆବର୍ଷରେ ଶ୍ରୀକ୍ଷେତ୍ର ଯାଉଛନ୍ତି! କୋଉ ବାଟରେ ଯିବେ, କୋଉଠି ରଖିବେ ଯାନ

ଇଂରାଜୀ ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ….

ପୁରୀ: ଇଂରାଜୀ ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ। ପର୍ଯ୍ୟଟକଙ୍କ ସୁରକ୍ଷା ସାଙ୍ଗକୁ ଟ୍ରାଫିକ୍‌ ପରିଚାଳନା ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖ ଦୁଇ ଦିନ ପ୍ରବଳ ଭିଡ ଦୃଷ୍ଟିରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ୩୧ ତାରିଖରୁ ସହରରେ ୩୦୦ ଅଧିକାରୀଙ୍କ ସହ ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ।

ପୁଲିସ୍‌ ଅଧିକ୍ଷକ ପ୍ରତୀକ ସିଂ କହିଛନ୍ତି ଯେ, ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ସହର ମୁଖ୍ୟ ପ୍ରବେଶ ପଥରେ ଗାଡି ଚେକିଂ ଜୋରଦାର କରାଯିବ। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ କଡା ନଜର ରଖାଯିବ। ନୂଆବର୍ଷ ଦିନ ମାର୍କେଟ ଛକଠୁ ସିଂହଦ୍ୱାର ପର୍ଯ୍ୟନ୍ତ ନୋ-ଭେଇକିଲ୍‌ ଜୋନ୍‌ ଘୋଷଣା କରାଯିବ। ସେହିପରି ମେଡିକାଲ ଛକଠୁ ସୁଭାଷ ବୋଷ ଛକ ଏବଂ ସୁଭାଷ ବୋଷ ଛକଠୁ ଲାଇଟ୍‌ ହାଉସ ପର୍ଯ୍ୟନ୍ତ ବେଳାଭୂମି ମାର୍ଗ ଅଂଚଳରେ ଚାରିଚକିଆ ଯାନ ଚଳାଚଳ ସଂପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ଯେଉଁ ପର୍ଯ୍ୟଟକମାନେ ହୋଟେଲ ବୁକିଂ ସ୍ଲିପ୍‌ ଦେଖାଇବେ ସେମାନଙ୍କ ଗାଡିକୁ ହୋଟେଲ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯିବ। ଦୁଇଚକିଆ ଗାଡି ଲାଗି ମଧ୍ୟ କଟକଣା ଜାରି କରାଯାଇଛି।

ଚାରିଚକିଆ ଯାନ ଚଳାଚଳ କଟକଣା

ଭୁବନେଶ୍ୱରରୁ ପଟୁ ଆସୁଥିବା ସମସ୍ତ ଚାରିଚକିଆ ଯାନ ବାଟଗାଁ (ହରେକୃଷ୍ଣପୁର ଛକ)ରୁ ବାଇପାସ୍‌ରେ ଯାଇ ଶ୍ରୀସେତୁ ଦେଇ ଜେବିପିସି ପାର୍କିଂରେ ରଖିବେ। ସେଠାରେ ଚାରିଚକିଆ ଯାନ ପ୍ୟାକ୍‌ ହୋଇଗଲେ ବାଟଗାଁ, ଚାରିନଳା, ଅଠରନଳା ଓ କୁମ୍ଭାରପଡା ଥାନା ଛକ ଦେଇ ଜେଲ୍‌ରୋଡ ପାର୍କିଂରେ ରଖିବେ। ପରେ ଶରଧାବାଲିରେ ଯାନଗୁଡିକ ପାର୍କିଂ କରିବେ। ଶରଧାବାଲିରେ ପ୍ୟାକ୍‌ ହୋଇଗଲେ ମାଳତୀପାଟପୁର ଆରଓବି ଦେଇ ସିଧାସଳଖ ତାଳବଣିଆରେ ପାର୍କିଂ କରିବେ। ସେଠାରୁ ଫେରିବା ସମୟରେ ବାଲିଘାଟ, ସମଙ୍ଗରା ଛକ ଦେଇ ହରେକୃଷ୍ଣପୁର ଛକରେ ବାହାରି ଭୁବନେଶ୍ୱର ଅଭିମୁଖେ ଫେରିବେ। ସେହିଭଳି ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନଗୁଡିକ ମଙ୍ଗଳାଘାଟ ଛକଠୁ ଷ୍ଟର୍ଲିଂ ଛକ ଦେଇ ଲାଇଟ୍‌ ହାଉସ ନିକଟ ଯାତ୍ରିକା ପାର୍କିଂରେ ରଖିବେ। ସେଠାରେ ପ୍ୟାକ୍‌ ହୋଇଗଲେ ଷ୍ଟର୍ଲିଂ ଛକରେ ଯାନଗୁଡିକ ରଖିବେ। କୋଣାର୍କରୁ ଆସୁଥିବା ଚାରିଚକିଆ ଯାନଗୁଡିକ ତାଳବଣିଆରେ ପାର୍କିଂ କରିବେ।

ଦୁଇଚକିଆ ଯାନ ଓ ତିନିଚକିଆ ଯାନ

ଭୁବନେଶ୍ୱର ପଟୁ ଆସୁଥିବା ଦୁଇଚକିଆ ଗାଡିଗୁଡିକ ଡାକ୍ତରଖାନା ଛକରୁ ଆସି ପୌରପାଳିକା ମାର୍କେଟ କମ୍‌ପ୍ଳେକ୍ସରେ ରଖିବେ। ସେଠାରେ ପ୍ୟାକ୍‌ ହୋଇଗଲେ ମାର୍କେଟ ଛକଠୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ବଡଦାଣ୍ଡରେ ପାର୍କିଂ କରିବେ। ବଡଦାଣ୍ଡ ପ୍ୟାକ୍‌ ହୋଇଗଲେ କୁମ୍ଭାରପଡା ଥାନା ଛକ ଦେଇ ଜଟିଆବାବାଜୀ ଛକ ଦେଇ ଜେବିପିସି ପାର୍କିଂରେ ରଖିବେ। ବ୍ରହ୍ମଗିରି ପଟୁ ଆସୁଥିବା ଯାନ ମଙ୍ଗଳାଘାଟ ଛକ ଦେଇ ଜେବିପିସି ପାର୍କିଂରେ ରଖିବେ। କୋଣାର୍କ ପଟୁ ଆସୁଥିବା ଯାନଗୁଡିକ ମାଟିଆପଡା ଗ୍ରୀଡ୍‌ଷ୍ଟେସନ ଛକଠାରେ ପାର୍କିଂ କରିବେ। ତିନିଚକିଆ ଯାନ କ୍ଷେତ୍ରରେ ତାଳବଣିଆରୁ ତିନିଚକିଆ ଯାନଗୁଡିକ ପେଣ୍ଠକଟା ଛକ, ସିଟି ରୋଡ, ୟୁଥ୍‌ ହଷ୍ଟେଲ୍‌, ଅର୍ବାନ୍‌ ହାଟ, ଜିଲ୍ଲା ସ୍କୁଲ ଦେଇ ଟାଉନ୍‌ ହଲ୍‌ ଛକରେ ପହଂଚିବେ।

ସେହିଭଳି ୱାଟର ୱାର୍କସ୍‌ ରୋଡ, ଓଡିଶା ବେକେରୀ, ରାମ ମନ୍ଦିର, ଘୋଡା ବଜାର ଦେଇ ରେଡ୍‌କ୍ରସ୍‌ ରୋଡରେ ପହଂଚିବେ। ତାଳବଣିଆକୁ ଫେରିବା ସମୟରେ ଘୋଡାବଜାର, ରାମମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ ରାସ୍ତା ଦେଇ ଚଳାଚଳ କରିବେ। ବେଳାଭୂମି ରାସ୍ତାରୁ ଆସୁଥିବା ଯାନଗୁଡିକ ବାଲିସାହି ସୋଲଖିଆ ବରଗଛ, ଉତରଦ୍ୱାର ପଟୁ ଆସୁଥିବା ଗାଡିଗୁଡିକ ବିଶେଶ୍ୱରୀ ମନ୍ଦିର, ସିଂହଦ୍ୱାର ଅଭିମୁଖେ ଆସୁଥିବା ଗାଡି ମୋଚିସାହି ଓ ଲୋକନାଥ ମନ୍ଦିର ପଟୁ ଆସୁଥିବା ଗାଡିଗୁଡିକ ବୃଷଭ ଛକ ପର୍ଯ୍ୟନ୍ତ ଯାଇପାରିବେ। ସେଠାରୁ ଶ୍ରୀମନ୍ଦିର ଅଭିମୁଖେ କୌଣସି ଗାଡିକୁ ପ୍ରବେଶ ଉପରେ ରୋକ ଲଗାଯାଇଛି।