ଭୁବନେଶ୍ୱର: ୩୦ ବର୍ଷର ଚାକିରି ଜୀବନରେ ବାବୁ ବନି ଯାଇଥିଲେ କୋଟି କୋଟି ଟଙ୍କାର ମାଲିକ। ମାସକୁ ୨ ହଜାର ଟଙ୍କାରେ ଦରମା ପାଉଥିବା ବାବୁ କିଭଳି ବନିଗଲେ ୧୫ କୋଟିରୁ ଅଧିକ ଟଙ୍କାର ସମ୍ପତିର ମାଲିକ। ସେ ହେଉଛନ୍ତି ଜଣେ ଜଣାଶୁଣା ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମଙ୍ଗଳବାର ସକାଳୁ ସକାଳୁ ଶ୍ରୀ ପଣ୍ଡାଙ୍କ ପୈତୃକ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଥିଲା ଭିଜିଲାନ୍ସ ଟିମ୍। ଚଢାଉରେ ଜିତେନ୍ଦ୍ର ପଣ୍ଡାଙ୍କ ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନୀ ସ୍ଥିତ ଶାଶୁଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୭୩ ଲକ୍ଷ ଜବତ କରିଛି। ଏଥିସହ ୩ଟି ସୁଉଚ୍ଚ କୋଠା, ଗୋଟିଏ ଫ୍ଲାଟ୍ ଓ ୪ଟି ଦାମୀ ପ୍ଲଟ୍ ପାଇଛି ଭିଜିଲାନ୍ସ ଟିମ୍।
ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା ରହିଛି। ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା କୋଠା ଓ ଉତରାରେ ୨ ବିଏଚ୍କେ ଫ୍ଲାଟ୍ ସହ ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି। ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ୍ ଠାବ କରାଯାଇଛି। ୫୦୦ ଗ୍ରାମ ସୁନା, ଗୋଟିଏ ଦାମୀ କାର୍ ସମେତ ୪ଟି ବାଇକ, ଏକାଧିକ ବ୍ୟାଙ୍କ ଖାତା ଓ ପୋଷ୍ଟାଲ ଜମାର ତଦନ୍ତ ଜାରି ରହିଛି। ତେବେ ଚଢ଼ାଉ ଜାରି ରହିଥିବାରୁ ତଦନ୍ତ ଆଗକୁ ବଢ଼ିବା ସହିତ ଅଧିକ ଖୁଲାସା ହେବ ବୋଲି ଭିଜିଲାନ୍ସ ଅଧିକାରୀମାନେ ଆଶା କରୁଛନ୍ତି। ଜିତେନ୍ଦ୍ରଙ୍କୁ ଅଟକ ରଖି ଜେରା କରୁଛି ଭିଜିଲାନ୍ସ ଟିମ୍।