Indo-US Trade: ନରେନ୍ଦ୍ର ମୋଦୀଙ୍କ ମାନଭଞ୍ଜନ କଲେ ଟ୍ରମ୍ପ

Indo-US Trade: ନରେନ୍ଦ୍ର ମୋଦୀଙ୍କ ମାନଭଞ୍ଜନ କରିବାକୁ ସକ୍ଷମ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଣିକି ଭାରତର କୃଷି ବଜାରକୁ ଦଖଲ କରିବା ଟ୍ରମ୍ପଙ୍କ ପକ୍ଷେ କଷ୍ଟକର ହେବନି ।

ପୁରୁଣା ଅଗଣାକୁ ଫେରିବା ପାଇଁ ସଂକେତ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣାଇ ଦେଇଛନ୍ତି ଯେ ସେ ନାଗ ନୁହନ୍ତି ଢମଣା । ତାଙ୍କ ଭଳି ଢମଣାମାନେ ଯୁକ୍ତରାଷ୍ଟ୍ର ଆମେରିକା ବିନା ଛଟପଟ ହୋଇ ମରିଯିବେ ।

‘ଅପରେସନ୍ ସିନ୍ଦୁର’ ଓ ଭାରତ-ପାକିସ୍ତାନ ଅସ୍ତ୍ର ବିରତି ଫଳାଫଳ ଭାରତର ବୁଦ୍ଧିଜୀବୀ ମହଲକୁ ଜଣା । ଗଣମାଧ୍ୟମ ଜରିଆରେ ଯେତେ ତୁମ୍ବିତୋଫାନ କଲେ, ସତଟା ସତ ଭଳି ଜଳଜଳ ଦିଶିବ ।

ଯୁକ୍ତରାଷ୍ଟ୍ର ଆମେରିକାର ଲଗାମଛଡ଼ା ଟିକସ ମାଡ଼ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ପ୍ରତି ସର୍ବାଧିକ ଗୁରୁତ୍ୱ ଦେଇଥିଲେ ।

ମାତ୍ର ଯେଉଁ ବ୍ୟକ୍ତିଙ୍କର ରକ୍ତମାଂସ ହାଡ଼ରେ ଯୁକ୍ତରାଷ୍ଟ୍ର ଆମେରିକାର ବ୍ରାଣ୍ଡ ଛାପ ଲାଗିଛି, ସେ ବ୍ୟକ୍ତିଙ୍କ ମୁହଁରୁ ସ୍ୱଦେଶ ପ୍ରୀତି ବିରାଟ ଧୋକା ବ୍ୟତୀତ ଆଉ କିଛି ନୁହେଁ ।

ଗଡ୍ ଫାଦରଙ୍କ ନିକଟରୁ ଅଲଗା ହୋଇ ବେଶ କିଛି ଦିନ ଧରି ଏ ଦୁଆରରୁ ସେ ଦୁଆରକୁ ବୁଲିବା ପରେ ମୂଳ ଅଗଣାକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଯୁକ୍ତରାଷ୍ଟ୍ର ଆମେରିକା ସହ ଭାରତର କୂଟନୈତିକ ଓ ବାଣିଜ୍ୟ ସଂପର୍କ ସ୍ୱାଭାବିକ ହେବାକୁ ଯାଉଛି । ଆସିଆନ୍ ଶିଖର ସମ୍ମିଳନୀ ପୂର୍ବରୁ ଟ୍ରମ୍ପ-ମୋଦୀ ବୁଝାମଣା ହୋଇଯିବ ।

ଭାରତର କୃଷିଜାତ ଦ୍ରବ୍ୟ ଓ କୃଷକ ସମାଜର ସ୍ୱାର୍ଥ ସହିତ କୌଣସି ପରିସ୍ଥିତିରେ ସାଲିସ କରାଯିବନି ଭଳି ଦୃଢ଼ୋକ୍ତି ପ୍ରକାଶ କରି ଆସୁଥିବା ନରେନ୍ଦ୍ର ମୋଦୀ ୟୁଏସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହୀନ ସ୍ୱାର୍ଥକୁ କିଛି ପରିମାଣରେ ପ୍ରୋତ୍ସାହନ ଦେଇଛନ୍ତି ।

ଆଗାମୀ ଦିନରେ ଭାରତ ବଜାରରେ ଆମେରିକା ସୋୟାବିନ, ମକା ଓ ଇଥାନଲ ମିଳିବ । ଆମେରିକାର ଇଥାନଲକୁ ଭାରତର ତୈଳ କଂପାନୀଗୁଡ଼ିକ ବ୍ୟବହାର କରିବେ ।

ଟ୍ରମ୍ପଙ୍କ ମନକୁ ଖୁସି କରିବା ପାଇଁ ଭାରତ ଆଉ ରୁଷିଆ ନିକଟରୁ ଅଧିକ ପରିମାଣର ପେଟ୍ରୋଲିୟମ୍ କିଣିବ ନାହିଁ ।

କେବଳ ସେତିକି ନୁହେଁ, ଭାରତୀୟ ଉତ୍ପାଦ ଉପରୁ ଆକାଶଚୁମ୍ବୀ ଟିକସ ଆଦାୟ କରିବାର ନିଶା ଟ୍ରମ୍ପଙ୍କ ମୁଣ୍ଡରୁ ଓହ୍ଲାଇ ଯାଇଛି ।

କଳବଳ କୌଶଳ ପ୍ରୟୋଗ କରି ନରେନ୍ଦ୍ର ମୋଦୀଙ୍କ ମାନଭଞ୍ଜନ କରି ପାରିଥିବାରୁ ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ଯୋଗ୍ୟ!

ସତରେ ଟ୍ରମ୍ପଙ୍କ ହାତ ଛାଡ଼ିବା ପରେ ବିଚରା ମୋଦୀ ଚାଇନା ଓ ରୁଷିଆ ଯାଇ କେତେ ହୀନସ୍ତା ଭୋଗୁଥିଲେ, କେତେ ଅପମାନିତ ହେଉଥିଲେ ।

ଟ୍ରମ୍ପଙ୍କ ମଧୁର କଥାରେ ମୋଦୀ ତୁଳା ଭଳି ନରମ ହୋଇଗଲେ ।