ହେଲିକପ୍ଟର ବଦଳରେ ଡ୍ରୋନ ଜଗିବ ଉପକୂଳ

Instead of helicopters, drones will guard the coast

ନୂଆଦିଲ୍ଲୀ : ଇଣ୍ଡିଆନ କୋଷ୍ଟ ଗାର୍ଡ ସମୁଦ୍ରରେ ତଦାରଖ ପାଇଁ ହେଲିକପ୍ଟର ବଦଳରେ ଅତ୍ୟାଧୁନିକ ଡ୍ରୋନ ବ୍ୟବହାର କରିବ । ତଟରକ୍ଷୀ ବାହିନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟର ଉପକୂଳ ସୁରକ୍ଷା ପାଇଁ ଆସନ୍ତା ବର୍ଷରୁ ଡ୍‌ରୋନ ମୁତୟନ ହେବ ।

ଡ୍ରୋନର ଉପଯୋଗ ଫଳରେ ଦୁଇଟି ଫାଇଦା ମିଳିବ । ତଟରକ୍ଷୀ ବାହିନୀକୁ ହେଲିକପ୍ଟର କିଣା ଓ ସଞ୍ଚାଳନରେ ହେଉଥିବା ବିପୁଳ ଖର୍ଚ୍ଚରୁ ମୁକ୍ତି ମିଳିବ । ଦ୍ୱିତୀୟଟି ହେଲା ଡ୍ରୋନ ତଦାରଖ ଦ୍ୱାରା ଉତ୍ତମ ଫଳ ମିଳିବ । କେନ୍ଦ୍ର ସରକାର ଉପକୂଳ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦେଉଥିବାରୁ ଡ୍ରୋନ ବ୍ୟବହାର ଦ୍ୱାରା ସାମୁଦ୍ରିକ ସୁରକ୍ଷା ଆହୁରି ମଜବୁତ ହେବ ।

ଦେଶରେ ଉପକୂଳ ସୁରକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୪୨ଟି କୋଷ୍ଟାଲ ଷ୍ଟେସନ ୪୨ଟି ରାଡାର ଷ୍ଟେସନ ରହିଛି । ସରକାରଙ୍କ ଦ୍ୱାରା ଆଉ ୩୮ଟି ରାଡାର ଷ୍ଟେସନ ସ୍ଥାପନ କରାଯିବା ଯୋଜନା ମଧ୍ୟ ରହିଛି । ସମୁଦ୍ର ସୀମା ସୁରକ୍ଷା ପାଇଁ ପ୍ରତି ମୁହୂର୍ତ୍ତରେ ଅତି କମରେ ୪୦ଟି ଜାହାଜ ତଦାରଖ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

କୋଷ୍ଟ ଗାର୍ଡ ସୂତ୍ର ଅନୁସାରରେ ଉପକୂଳ ସୁରକ୍ଷା ପାଇଁ ଡ୍‌ରୋନ କିଣିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଚଳିତବର୍ଷ ଡ୍ରୋନଗୁଡ଼ିକୁ କିଣାଯିବ । ଡ୍‌ରୋନ ଆସିବା ପରେ ହେଲିକପ୍ଟର ଓ ବିମାନ ଦ୍ୱାରା ଆଉ ତଦାରଖ କାର୍ଯ୍ୟ କରାଯିବ ନାହିଁ ।