‘ଯଦି ଏବେ ଆମେ ଜିତିବୁନି । ଆଗାମୀ ଦିନରେ ପ୍ରଥମେ ୟୁରୋପ ଓ ତା’ପରେ ପରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଦାରୁଣ ପରିଣତି ଭୋଗିବାକୁ ପଡ଼ିବ ।’ ମଙ୍ଗଳବାର ଦିନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ଏଭଳି ସନ୍ଦେଶ ପ୍ରଦାନ କରିଛନ୍ତି ।
ନେତାନ୍ୟାହୁ ଜଣାଇ ଦେବାକୁ ଚାହାନ୍ତି ଯେ ହମାସ ଭଳି ଆତଙ୍କୀ ସଂଗଠନକୁ ଆଦୌ କ୍ଷମା କରିବାର ପ୍ରଶ୍ନ ଉଠୁନି । ହମାସ୍ ଏବେ ବଂଚିବା ପାଇଁ ଡାକ୍ତରଖାନାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଏବେ ତା’ ପ୍ରତି ଦୟା ଦେଖାଇଲେ, ଆଗାମୀ ଦିନରେ ସେ ଅନ୍ୟ ଆତଙ୍କୀ ସଂଗଠନ ସହିତ ମିଶି ୟୁରୋପ, ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ରକୁ ହାମ୍ଲା କରିବାକୁ ପଛାଇବ ନାହିଁ ।
ସଦ୍ୟ ସୂଚନା ମୁତାବକ, ଗାଜା ସିଟିର ମୁଖ୍ୟ ମେଡିକାଲ ସେଂଟର ଅଲ-ସିଫା ହସ୍ପିଟାଲ ସାମ୍ନାରେ ଇସ୍ରାଏଲ ଟ୍ୟାଙ୍କଗୁଡ଼ିକ ଠିଆ ହୋଇଛି । ଡାକ୍ତରଖାନାର ଭୂତଳ କକ୍ଷରେ ହମାସ୍ ଆତଙ୍କୀମାନେ ଆତ୍ମଗୋପନ କରିଛନ୍ତି ବୋଲି ଇସ୍ରାଏଲ ସେନା ସନ୍ଦେହ ପ୍ରକାଶ କରିଛି । ରୋଗୀଙ୍କୁ ଆୟୁଧ କରି ହମାସ୍ ଆତଙ୍କୀମାନେ ଇସ୍ରାଏଲ କବଳରୁ ମୁକ୍ତି ପାଇବା ପାଇଁ ଉଦ୍ୟମ କରୁଛନ୍ତି ।
ଇତି ମଧ୍ୟରେ ସଂପୃକ୍ତ ହସ୍ପିଟାଲରେ ନାନା ପରିସ୍ଥିତି ଭିତରେ କଲବଲ ହୋଇ ପ୍ରାୟ ୩୪ ଜଣ ପ୍ରାଣ ହରାଇଥିବା ସୂଚନା ହସ୍ତଗତ ହୋଇଛି । ମୃତକଙ୍କ ଭିତରେ ସାତଜଣ ଶିଶୁ ରହିଛନ୍ତି । ହମାସ୍-ଇସ୍ରାଏଲ ଲଢେ଼ଇ ଆରମ୍ଭ ହେବା ଦିନଠାରୁ ଅଦ୍ୟାବଧି ପ୍ରାୟ ୧୧ ହଜାର ପାଲେଷ୍ଟିନୀୟ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରୁ ଦୁଇ-ତୃତୀୟାଂଶ ମହିଳା ଓ ଛୋଟପିଲା । ଯୁଦ୍ଧ ବିଭୀଷିକା ଭିତରେ ପ୍ରାୟ ୨୭୦୦ ନିଖୋଜ ହୋଇଛନ୍ତି । ହମାସ୍ ହାତରେ ୧୨୦୦ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇ ସାରିଲେଣି ।
ସୂଚନାଯୋଗ୍ୟ, ମାନବିକତା ଦୃଷ୍ଟିକୋଣରୁ ହସ୍ପିଟାଲ ଉପରେ ଆକ୍ରମଣ ନକରିବା ପାଇଁ ଜର୍ମାନୀ, ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା ଭଳି ବହୁ ଦେଶ ଇସ୍ରାଏଲକୁ ଉପଦେଶ ଦେଇଛନ୍ତି । ମିଳିତ ଜାତିସଂଘ ମହାସଚିବ ଗୁଟ୍ଟେରେସ ମଧ୍ୟ ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି ।