ବିବାହିତ ପୁରୁଷ ଲିଭ୍‌ ଇନ୍‌ରେ ରହିବା ବେଆଇନ ନୁହେଁ

ଜଣେ ବିବାହିତ ପୁରୁଷ ଯଦି ଆଉ ଜଣେ ମହିଳାଙ୍କ ….

ନୂଆଦିଲ୍ଲୀ: ଜଣେ ବିବାହିତ ପୁରୁଷ ଯଦି ଆଉ ଜଣେ ମହିଳାଙ୍କ ସହ ଲିଭ୍‌ ଇନ୍‌ରେ ରହୁଛନ୍ତି, ତା’ ହେଲେ ଏହା ଆଇନ ଅନୁସାରେ ଅପରାଧ ନୁହେଁ। ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ଏପରି ଟିପ୍ପଣୀ ପ୍ରଦାନ କରିଛନ୍ତି। ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସାମାଜିକ ନୈତିକତା କେବେ ହେଲେ ବି ନ୍ୟାୟାଳୟକୁ ବାଧା ଦେଇପାରିବ ନାହିଁ ବୋଲି ହାଇକୋର୍ଟ ମତ ରଖିଛନ୍ତି।

ମହିଳାଙ୍କ ପରିବାର ପକ୍ଷରୁ ବିପଦ ଓ ଧମକରୁ ସୁରକ୍ଷା ପାଇବା ପାଇଁ ଲିଭ୍‌ ଇନ୍‌ରେ ରହୁଥିବା ଦମ୍ପତି କରିଥିବା ଆବେଦନର ଶୁଣାଣି ସମୟରେ କୋର୍ଟ ଏପରି ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି, ଯେତେବେଳେ କୌଣସି ବିବାହିତ ପୁରୁଷ ସହମତି ଭିତିରେ କୌଣସି ପ୍ରାପ୍ତ ବୟସ୍କା ମହିଳାଙ୍କ ସହ ଏକାଠି ରହୁଛନ୍ତି, ତା’ ହେଲେ ଏହାକୁ କୌଣସି ଅପରାଧ ଭାବେ ବିବେଚନା କରାଯାଇ ପାରିବ ନାହିଁ। ହାଇକୋର୍ଟର ଖଣ୍ଡପୀଠ, ‘ଅନ୍ୟ ଜଣକର ସହମତିରେ ଯଦି ଜଣେ ବିବାହିତ ପୁରୁଷ ଆଉ ଜଣେ ମହିଳାଙ୍କ ସହ ଲିଭ୍‌ ଇନ୍‌ରେ ରହୁଛନ୍ତି, ତା’ ହେଲେ ଏହା କୌଣସି ଅପରାଧିକ ଶ୍ରେଣୀରେ ଆସୁନି। ଏମିତି କୌଣସି ଅପରାଧ ଶ୍ରେଣୀ ନାହିଁ, ଯାହା ବଳରେ ଏହାକୁ ଦଣ୍ଡବିଧାନ କରାଯାଇପାରିବ।

ନୈତିକତା ଓ ଆଇନକୁ ଗୋଟିଏ ତରାଜୁରେ ମାପିବା ଅନୁଚିତ। ଯଦି ଆଇନ ଅଧୀନରେ କୌଣସି ଅପରାଧ ବିବେଚନା ହେଉ ନାହିଁ, ତା’ହେଲେ ନାଗରିକ ଅଧିକାରର ସୁରକ୍ଷା ପାଇଁ ନ୍ୟାୟାଳୟ ପାଖରେ ଥିବା ଅଧିକାରକୁ କେବେ ହେଲେ ସାମାଜିକ ଓ ନୈତିକତା ଆଧାରରେ ପରିଚାଳନା କରାଯାଇ ପାରିବ ନାହିଁ।

ମହିଳା ଜଣଙ୍କ ସ୍ଥାନୀୟ ଏସ୍‌ପିଙ୍କୁ ଜଣାଇଥିଲେ ଯେ ସେ ନିଜ ଇଚ୍ଛାରେ ଉକ୍ତ ପୁରୁଷଙ୍କ ସହ ଲିଭ୍‌ ଇନ୍‌ରେ ରହୁଛନ୍ତି। ତଥାପି ପୁଲିସ୍‌ ତାଙ୍କୁ ମିଳୁଥିବା ଧମକରୁ ସୁରକ୍ଷା ଦେଇ ନାହିଁ। ଦୁଇ ଜଣ ପ୍ରାପ୍ତ ବୟସ୍କ ଏକାଠି ରହୁଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେବା ପୁଲିସ୍‌ର କର୍ତବ୍ୟ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ ଜେଜେ ମୁନୀର ଓ ଜଷ୍ଟିସ ତରୁଣ ସକ୍‌ସେନାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ଅଭିଯୋଗ ଉପରେ ଏସ୍‌ପି କୌଣସି ପଦକ୍ଷେପ ନେବା ଆଶ୍ଚର୍ଯ୍ୟଜନକ। ଏକାଠି ରହୁଥିବା ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କ ସୁରକ୍ଷା ପୁଲିସ୍‌ର କର୍ତବ୍ୟ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଆଧାରରେ ସବୁ କିଛି ଏସ୍‌ପିଙ୍କ ହାତରେ ରହିଛି।

ଏପ୍ରିଲ ୮ରେ ମାମଲାକୁ ଶୁଣାଣି ପାଇଁ ଧାର୍ଯ୍ୟ କରି ହାଇକୋର୍ଟ ଉତର ପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି। ଏଥିସହ ତୁରନ୍ତ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାହଜାହାନପୁରର ଏସ୍‌ପି ନିଜେ ଲିଭ୍‌ ଇନ୍‌ରେ ରହୁଥିବା ଦମ୍ପତିଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ।
ଶାହଜାହାନପୁରରେ ରୁଜୁ ଗୋଟିଏ ଅପରାଧିକ ମାମଲାରେ ମଧ୍ୟ ଆବେଦନକାରୀ ଅନାମିକା ଓ ନେତ୍ରପାଲଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେଇ ଶୁଣାଣି ଶେଷ ନ ହେବା ଯାଏ ସେମାନଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।

ମହିଳାଙ୍କ ପରିବାର ଲୋକ ଦମ୍ପତିଙ୍କୁ କୌଣସି ପ୍ରକାରର କ୍ଷତି କରିପାରିବେ ନାହିଁ। ସେମାନେ କେବେ ହେଲେ ବି ଦମ୍ପତିଙ୍କ ଘରେ ପ୍ରବେଶ କରିବେ ନାହିଁ କିମ୍ବା ସେମାନଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ ବୋଲି କୋର୍ଟ ନିଜ ରୁଲିଂରେ କହିଛନ୍ତି।