ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନକାଳକୁ ଭାରତର ଅମୃତକାଳ କହି ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସ୍ୱର୍ଗଟିକୁ ଧରାପୃଷ୍ଠକୁ ନେଇ ଆସିଛନ୍ତି । ଏକ ଘରୋଇ ଚାନେଲର ବଜେଟ୍ ୨୦୨୩ ସଂପର୍କରେ ଚାଲିଥିବା ଆଲୋଚନାରେ ଭାଗ ନେଇ ଜୟନ୍ତ ସିହ୍ନା କହିଛନ୍ତି ପୁରାଣରେ ଯୋଉ ଅମୃତକାଳ ଶବ୍ଦ ଆପଣମାନେ ପଢ଼ିଛନ୍ତି । ତାହା ଆଜି ମୋଦୀଙ୍କ ଅମଳରେ ଦେଶବାସୀ ଅନୁଭବ କରି ପାରୁଛନ୍ତି ।
ସବୁବର୍ଗର ପରିବାରକୁ ସୁଖସ୍ୱାଚ୍ଛନ୍ଦ୍ୟ ଭିତରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଦିନରାତି କାମ କରୁଛନ୍ତି । ସ୍ୱାଧୀନତାର ୭୦ ବର୍ଷ ପରେ ୧୩୨ କୋଟି ଲୋକଙ୍କ ପାଇଁ ଅମୃତଯୋଗ ସୃଷ୍ଟି ହୋଇଛି । ୨୦୨୩ ବଜେଟ୍ ଏକ ଅମୃତକାଳ ବଜେଟ୍ । ବଜେଟରେ ସରକାରଙ୍କ ପ୍ରତିଶ୍ରୁତିକୁ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ ଜୟନ୍ତ ସିହ୍ନା । ବଜେଟର ନିଅଂଟ ପରିମାଣକୁ ଭରଣା କରିବା ପାଇଁ ସରକାର ନାନା ଅଭିନବ ପନ୍ଥା ଅବଲମ୍ବନ କରୁଛନ୍ତି ।
ଲୋକଙ୍କୁ ମହଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ସରକାରୀ ସ୍ତରରେ ଲଗାମ କଷି ଦି÷ଆଯାଇଛି ଯାହାର ପ୍ରଭାବ ଆଗାମୀ ଦିନରେ ଦେଶବାସୀ ଅନୁଭବ କରିପାରିବେ । ଅଦାନୀ ଗ୍ରୁପର ଅଧୋଗତି ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟୀକରଣ ଦେଇସାରିଛନ୍ତି । ତା’ ଉପରେ ଅଧିକ କିଛି କହିବାର ନାହିଁ । ଭାରତର ସେବି ପକ୍ଷରୁ ଯାଂଚ ଆରମ୍ଭ କରାଯାଇଛି । କେଉଁ କାରଣରୁ ଅଦାନୀ ଗ୍ରୁପକୁ ଦାରୁଣ କ୍ଷତି ସହିବାକୁ ପଡ଼ିଲା; ତା’ର ପ୍ରତ୍ୟେକଟି ଦିଗକୁ ଦୃଷ୍ଟି ଦିଆଯାଉଛି । ଆନ୍ତର୍ଜାତିକ ସ୍ତରରେ ଚାଲିଥିବା କାରସାଦିକୁ କୂଟନୈତିକ ସ୍ତରରେ ନିୟନ୍ତ୍ରଣ କରାଯିବ ।