ଜମ୍ମୁ: ଜମ୍ମୁ-କଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ସୁନୀଲ ଶର୍ମା ଇତି ମଧ୍ୟରେ ନୂଆଦିଲ୍ଲୀ ଯାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଆଲୋଚନା କାଳରେ ଜମ୍ମୁ-କଶ୍ମୀରର ବିକାଶ ଓ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦେବାକୁ କହିଥିଲେ ବିଜେପି ନେତା ଶର୍ମା । ନିକଟରେ ଘଟି ଯାଇଥିବା ଆତଙ୍କୀ ହମ୍ଲା ଉକ୍ତ ଆଲୋଚନାରେ ସ୍ଥାନ ପାଇଥିଲା । ଘାଟି ଉପତ୍ୟକାରୁ ଆତଙ୍କୀ ହମ୍ଲାକୁ ସବୁଦିନ ପାଇଁ ଲୋପ କରିବା ଜରୁରୀ ବୋଲି ବିଧାୟକ ଶର୍ମା କହିଥିଲେ ।
ଜମ୍ମୁ-କଶ୍ମୀର ଉପତ୍ୟକାର ଦୁର୍ଗମ ଅଂଚଳକୁ ଗମନାଗମନ ଓ ପରିବହନ ବ୍ୟବସ୍ଥାର ସୁଗମ କରିବା ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି । ତା’ ସହିତ ଜମ୍ମୁ-କଶ୍ମୀର ସରକାରଙ୍କ ବଜେଟ୍ ଅଧିବେଶନ ପ୍ରସଙ୍ଗ ସ୍ଥାନ ପାଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ମତ ବିନିମୟ କରିବା ସମୟରେ ବରିଷ୍ଠ ବିଜେପି ନେତା ଶର୍ମା କହିଛନ୍ତି ଯେ ଜମ୍ମୁ-କଶ୍ମୀରର ସାମଗ୍ରିକ ବିକାଶ ଓ ସୁରକ୍ଷା ପ୍ରତି କେନ୍ଦ୍ର ସରକାର ଅଧିକ ଦୃଷ୍ଟି ଦେଉଛନ୍ତି ।