କାବୁଲ: ଗୁରୁବାର ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ଘଟିଥିବା ଦ୍ୱୈତ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନ୍ୟ ଥିବାବେଳେ ଅନ୍ୟମାନେ ହେଉଛନ୍ତି ଆଫ୍ଗାନ ନାଗରିକ । ମୃତ ଆଫ୍ଗାନ ନାଗରିକଙ୍କ ମଧ୍ୟରେ ୨୮ ତାଲିବାନୀ ଯୋଦ୍ଧା ସାମିଲ ଥିବା କୁହାଯାଇଛି । ଏହାବ୍ୟତୀତ ଆହତ ହୋଇଥିବା ପ୍ରାୟ ୧୨୦୦ ଲୋକଙ୍କୁ କାବୁଲର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗଷ୍ଟ ୧୫ରେ ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଏକପ୍ରକାର ଭୁଶୁଡି ପଡିଛି । ତାଲିବାନ ଆତଙ୍କବାଦୀଙ୍କ ଭୟରେ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକ୍ କର୍ମଚାରୀମାନେ ପ୍ରାୟ ଡାକ୍ତରଖାନା ଆସୁନାହାନ୍ତି । ଏହି ପରିପ୍ରେକ୍ଷୀରେ ବିସ୍ଫୋରଣରେ ଆହତ ଲୋକେ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବା ଜଣାପଡିଛି । ଏପରିକି ବିମାନବନ୍ଦର ନିକଟରେ ପ୍ରବାହିତ ସ୍ୱେରେଜ ନାଳରେ କେତେକ ମୃତଦେହ ଭାସୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଉଥିବାବେଳେ ନାଳରେ କିପରି ମୃତଦେହ ଭାସୁଛି ବୋଲି ସମସ୍ତଙ୍କ ମନରେ ସନ୍ଦେହ ଜାଗ୍ରତ ହେବା ସ୍ୱାଭାବିକ । ଇରାକ୍ ଓ ସିରିୟାରେ ସକ୍ରିୟ ଥିବା ଆଇଏସ୍ଆଇଏସ୍ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଆଗକୁ କାବୁଲ ବିମାନବନ୍ଦରରେ ଏଭଳି ବିସ୍ଫୋରଣର ଆଶଙ୍କା ରହିଥିବାରୁ ସେଠାରେ ମୁତୟନ ଆମେରିକୀୟ ସୈନ୍ୟଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ବିସ୍ପୋରଣ ସତ୍ତ୍ୱେ କାବୁଲରୁ ଆମେରିକୀୟ ସୈନ୍ୟ ଓ ନାଗରିକଙ୍କ ଅପସାରଣ ପ୍ରକ୍ରିୟା ଜାରି ରହିବ ବୋଲି ବାଇଡେନ କହିଛନ୍ତି ।