ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିଃସର୍ତ୍ତକ୍ଷମା ମାଗିଲେ କପିଲ ମିଶ୍ର

ନୂଆଦିଲ୍ଲୀ : ବିଜେପି ନେତା କପିଲ ମିଶ୍ର ଗୁରୁବାର ନିସର୍ତ୍ତ କ୍ଷମାଯାଚନା କରିଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଏହି ନିସର୍ତ୍ତ କ୍ଷମାଯାଚନା କରିଛନ୍ତି । ୨ କୋଟି ଟଙ୍କା ଲାଞ୍ଚ ମାମଲାରେ ଦେଇଥିବା ମନ୍ତବ୍ୟ ଲାଗି ଏହି କ୍ଷମାଯାଚନା କରିଛନ୍ତି। ସତ୍ୟେନ୍ଦ୍ର ଜୈନ ୨୦୧୭ ମସିହାରେ କପିଲ ମିଶ୍ରଙ୍କ ନାମରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ।

ସୂଚନା ଅନୁସାରେ ଜୈନ୍‌ଙ୍କ ଠାରୁ ମୁଖ୍ୟମନ୍ତ୍ରୀ କେଜରୀୱାଲ ନଗଦ ୨ କୋଟି ଟଙ୍କା ଲାଞ୍ଚ ନେଇଥିବାର ମାନହାନିକର ଅଭିଯୋଗ ଆଣିଥିଲେ କପିଲ ମିଶ୍ର। ତେବେ କପିଲ ମିଶ୍ର କୋର୍ଟରେ ତାଙ୍କ ଅଭିଯୋଗ ପ୍ରମାଣିତ କରି ପାରିନଥିଲେ । ତେବେ ଅଭିଯୁକ୍ତ ଯଦି ନ୍ୟାୟାଳୟରେ ନିଃସର୍ତ୍ତ କ୍ଷମାଯାଚନା କରିବେ ତେବେ ଜୈନ୍‌ ତାଙ୍କ ମାମଲା ପ୍ରତ୍ୟାହାର କରିବେ ବୋଲି କହିଥିଲେ। ସେହି ଅନୁସାରେ କପିଲ ମିଶ୍ର କୋର୍ଟରେ ନିସର୍ତ୍ତ କ୍ଷମାଯାଚନା କରିବା ପୂର୍ବରୁ ସାର୍ବଜନିକ କ୍ଷମା ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କୋର୍ଟ ଏକ ମାନହାନୀ ମୋକଦ୍ଦମାରେ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ବିରୋଧରେ ବିଜେପି ସାଂସଦ ରମେଶ ବିଧୁରୀ ୨୦୧୬ ମସିହାରେ ଏହି ମୋକଦ୍ଦମା ରୁଜୁ କରିଥିଲେ । କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦକ୍ଷିଣ ଦିଲ୍ଲୀ ସାଂସଦଙ୍କ ମାନହାନୀ କରିଥିବା ପ୍ରମାଣିତ ହୋଇପାରିନାହିଁ। ଏଣୁ କେଜରୀୱାଲଙ୍କୁ କୋର୍ଟ ନିର୍ଦୋଷରେ ମୁକ୍ତ କରିଦେଇଛନ୍ତି।